ଅନୁଗୋଳ(୦୨/୦୧/୨୦୨୫) : ସୋମନାଥପୁର ପ୍ରାଥମିକ ବିଦ୍ୟାଳୟ, ସୁସୁଡ଼ା, ଅନୁଗୋଳ ପରିସରରେ ମା ମଙ୍ଗଳା ଯୁବକ ସଂଘ ସହଯୋଗ ଏବଂ ସାମାଜିକ ସଂଗଠନ “ସ୍ପନ୍ଦନ” ତରଫରୁ ୩୬ତମ ଜାତୀୟ ସଡ଼କ ସୁରକ୍ଷା ମାସ (ଜାନୁଆରୀ ୦୧- ଜାନୁଆରୀ ୩୧) ଉପଲକ୍ଷେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷର ବିଷୟ ବସ୍ତୁ ” ମୁତ୍ୟୁ ହାର କମାଇବା ଏବଂ ସଡ଼କ ସୁରକ୍ଷା ପାଇଁ ନାୟକ ସାଜିବା” ସମ୍ବନ୍ଧରେ “ସ୍ପନ୍ଦନ”ର ସଦସ୍ୟ ଉପସ୍ଥିତ ଥିବା ଯୁବକ, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମବାସୀ ମାନଙ୍କୁ ସଚେତନତା କରିବା ସହିତ ସଡ଼କରେ ଘଟୁଥିବା ବିଭିନ୍ନ ଦୁର୍ଘଟଣାର କାରଣ, ପ୍ରତିକାର, ଦୁର୍ଘଟଣାଜନିତ ସରକାରଙ୍କର ସହାୟତା ରାଶି, ସଡ଼କ ଦର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଯଥା ଶୀଘ୍ର ନିକଟସ୍ଥ ହାସପତାଳକୁ ତୁରନ୍ତ ସ୍ଥାନାନ୍ତରଣ କରିବା ଦ୍ଵାରା ବ୍ୟକ୍ତ୍ତିର ଜୀବନ ବଞ୍ଚାଇବା ଦ୍ଵାରା ହାସପାତାଳକୁ ଆଣିଥିବା ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କାର ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସାମାଜିକ କର୍ମୀ ଶ୍ରୀକାନ୍ତ କୁମାର ସାହୁ ଯୋଗଦେଇ ମଦ୍ୟପାନ ନକରି ଗାଡ଼ି ଚଲାଇବା, ଦ୍ରୁତ ଗତିରେ ଗାଡି ନ ଚଳାଇବା, ହେଲମେଟ ପିନ୍ଧିବା ସହିତ ହେଲମେଟ ଫିତାକୁ ଗଣ୍ଠି ପକାଇବା, ଗାଡି ଚଳାଇବା ବେଳେ ମୋବାଇଲ୍ ଫୋନ ବ୍ୟବହାର ନକରିବା, ଯଦି କାହା ସହିତ କଥା ହେବା ତେବେ ରାସ୍ତାର ପାର୍ଶ୍ୱକୁ ଯାଇ କଥା ହେବା ସହିତ ରାସ୍ତାକୁ ଉଠିବା ପୂର୍ବରୁ ପଛରୁ କିଛି ଗାଡି ଆସୁନାହିଁ ବୋଲି ସ୍ଥିର ହେବାପରେ ଗାଡି ଚାଳନା କରିବା, ସିଟ୍ ବେଲ୍ଟ ପିନ୍ଧିବା, କାନ କିମ୍ବା ମୁଣ୍ଡ ଫୋନ ଲଗାଇ ଗୀତ ଶୁଣି ଗାଡି ଚାଳନା ନକରିବା, ବିନା ଲାଇସେନ୍ସରେ ଗାଡ଼ି ଚାଳନା ନକରିବା, ପଛରୁ କୌଣସି ଗାଡି ଆସୁଛି କି ନାହିଁ ଦେଖିବା ପାଇଁ ପଛ ଆଇନା ବ୍ୟବହାର କରିବା, ଗାଡ଼ିର ପ୍ରେସର୍ ଏବଂ ବ୍ରେକ୍ ଠିକ୍ ଅଛି କି ନାହିଁ ନିଶ୍ଚିତ ହେବା, ବସ୍, ଅଟୋ କିମ୍ବା କୌଣସି ଚାରି ଚକିଆ ଯାନରେ ଯିବା ସମୟରେ ଝରକା ଦେଇ ବାହାରକୁ କୌଣସି ଜିନିଷ ନଫୋପାଡ଼ିବା କିମ୍ବା ବାନ୍ତି ନକରିବା, ଅଯଥା ହମ୍ପସ ନିର୍ମାଣ ନ କରିବା, ଆମ୍ବୁଲାନ୍ସକୁ ରାସ୍ତାରେ ଯିବା ସମୟରେ ସାଇଡ୍ ଦେବା ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରିବା ସହିତ ଟ୍ରାଫିକ ନିୟମ ପାଳନ ନକରିବା ଦ୍ଵାରା ସରକାରଙ୍କ ତରଫରୁ ବିଭିନ୍ନ ଦଣ୍ଡ ଏବଂ ଆଇନ ବିଷୟରେ ଆଲୋକପାତ କରିଥିଲେ। ସୋମନାଥପୁରର ୱାର୍ଡ ନମ୍ବର ୪ର ୱାର୍ଡ ମେମ୍ବର ବାସନ୍ତୀ ନାଏକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ମା’ ମଙ୍ଗଳା ଯୁବକ ସଂଘର ସଭାପତି ଚନ୍ଦନ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବୀରେନ୍ଦ୍ର ବେହେରା, ଶ୍ରୀକାନ୍ତ ନାଏକ, ସତ୍ୟଜିତ ବେହେରା, ସତ୍ୟଜିତ ନାଏକ, ବିକାଶ ନାଏକ ପ୍ରମୁଖ ସଭା କାର୍ଯ୍ୟରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୪୮ ଜଣ ଗ୍ରାମବାସୀ ଉପସ୍ଥିତ ଥିଲେ।

