• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆସନ୍ତାକାଲି ଭୁବନେଶ୍ୱରରେ ହେବ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

Bymamatanews

Nov 6, 2024
Spread the love

ଚଳିତ ମାସ ଦେଶବ୍ୟାପୀ ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି ଡିଏଲସି 3.0 ଅଭିଯାନ

ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ପ୍ରମାଣିକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍‌ (ଡିଏଲସି) ଅଭିଯାନ 3.0 ଆୟୋଜନ କରୁଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଜୀବନପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।

ଆସନ୍ତାକାଲି, ଅର୍ଥାତ୍‌ ୭ ନଭେମ୍ବରରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯିବ। ସିସିଏ ଓଡ଼ିଶା ଭୁବନେଶ୍ବର, ବାପୁଜୀନଗର, ନୟାପଲ୍ଲୀ, ଜନପଥ, ରାମମନ୍ଦିର, ଖଣ୍ଡଗିରି, ସାମନ୍ତରାପୁର ଓ ଝାରପଡ଼ାଠାରେ ଡିଏଲସି ଶିବିର ଆୟୋଜନ କରାଯିବ । ଏଥିରେ ଦୂରସଞ୍ଚାର ବିଭାଗ, ବ୍ୟାଙ୍କ ଅଫ୍‌ ବରୋଦା ଓ କେନ୍ଦ୍ର ସରକାରୀ ପେନସନଭୋଗୀ ସଂଘ ସହଯୋଗ ଯୋଗାଇ ଦେବେ। ବିଭାଗର ଜଣେ ବରିଷ୍ଠ ଅଧିକାରୀ ବିଭିନ୍ନ ସ୍ଥାନ ପରିଦର୍ଶନ କରି ପେନସନଭୋଗୀଙ୍କୁ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିବା ପାଇଁ ବିଭିନ୍ନ ଡିଜିଟାଲ ମାଧ୍ୟମରେ ସାହାଯ୍ୟ କରିବେ। ଏହି ଶିବିରଗୁଡ଼ିକରେ ଆବଶ୍ୟକସ୍ଥଳେ, ପେନସନଭୋଗୀମାନଙ୍କୁ ସେମାନଙ୍କର ଆଧାର ରେକର୍ଡ ଅପଡେଟ୍ କରିବା ଏବଂ ଯେକୌଣସି ବୈଷୟିକ ସମସ୍ୟାର ସମାଧାନ କରିବାରେ ୟୁଆଇଡିଏଆଇ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ।

ଏଥିପୂର୍ବରୁ ପେନସନଭୋଗୀମାନଙ୍କୁ ପେନସନ ବିତରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ସମୟରେ ଆହ୍ୱାନପୂର୍ଣ୍ଣ ଥିଲା । ୨୦୧୪ରେ, ଡିଓପିପିଡବ୍ଲ୍ୟୁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ (ଜୀବନ ପ୍ରମାଣ) ଏବଂ ୨୦୨୧ରେ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ଆରମ୍ଭ କରିଥିଲା। ଏହି ଅଗ୍ରଗତି ବାୟୋମେଟ୍ରିକ୍ ଡିଭାଇସର ଆବଶ୍ୟକତାକୁ ଦୂର କରିଥିଲା, ପ୍ରକ୍ରିୟାକୁ ଅଧିକ ସୁଗମ କରିଥିଲା ।

୨୦୨୨ରେ ଡିଓପିପିଡବ୍ଲ୍ୟୁ ୩୭ଟି ସ୍ଥାନରେ ଏକ ଅଭିଯାନ ଆୟୋଜନ କରିଥିଲା, ଯେଉଁଥିରେ ୧.୪୧ କୋଟି ଡିଏଲସି କରାଯାଇଥିଲା। ୨୦୨୩ ଅଭିଯାନ ୧୦୦ଟି ସ୍ଥାନକୁ ବିସ୍ତାରିତ ହୋଇଥିଲା, ଯେଉଁଥିରେ ୧.୪୭ କୋଟିରୁ ଅଧିକ ଡିଏଲସି କରାଯାଇଥିଲା।

୨୦୨୪ ନଭେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଅଭିଯାନର ତୃତୀୟ ପର୍ଯ୍ୟାୟକୁ ଦେଶର ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି। ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପେନସନଭୋଗୀ ସଂଘ, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଦୂରସଂଚାର ବିଭାଗ ଏଥିରେ ପ୍ରମୁଖ ଅଂଶୀଦାର ରହିଛନ୍ତି । ପେନସନଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲରେ ସାହାଯ୍ୟ କରିବା ପାଇଁ ସହରରେ ଶିବିର ସ୍ଥାପନ କରାଯିବ । ଅତ୍ୟଧିକ ବୟସ୍କ କିମ୍ବା ଭିନ୍ନକ୍ଷମ ପେନସନଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସମେତ ଅନ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଡିଏଲସି ପୋର୍ଟାଲ ମାଧ୍ୟମରେ ଡିଓପିପିଡବ୍ଲ୍ୟୁ ଅଭିଯାନର ତଦାରଖ କରିବା ସହିତ ସୋସିଆଲ ମିଡିଆରେ ଏହାର ପ୍ରଚାରପ୍ରସାର କରାଯିବ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଅଞ୍ଚଳରେ ରହୁଥିବା କିମ୍ବା ଚଲାବୁଲା କରିପାରୁନଥିବା ପେନସନଭୋଗୀମାନଙ୍କୁ ଏହି ବ୍ୟବସ୍ଥା ମାଧ୍ୟମରେ ପେନସନ ଯୋଗାଇ ଦେବା ।

Leave a Reply

Your email address will not be published. Required fields are marked *