• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସରିଲା ମହୀଧରପୁର କାର୍ତ୍ତିକେଶ୍ୱର ପୂଜା ମହୋତ୍ସବଶୁକ୍ରବାର ପ୍ରଭୁଙ୍କୁ ମେଲାଣି

Bymamatanews

Nov 7, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହିଧରପୁରରେ ୫ ଦିନ ଧରି ଚାଲିଥିବା କାର୍ତ୍ତିକେଶ୍ୱର ଯାତ୍ରା ଓ ମହୋତ୍ସବ ଡଙ୍ଗା ଭସା କାର୍ତ୍ତିକ ପୂର୍ଣ୍ଣମୀ ଦିନ ଶେଷ ହୋଇଛି। ଆବାଳ ବୃଦ୍ଧ ବନିତା ଏହି ଯାତ୍ରାକୁ ମନ ଭରି ଉପଭୋଗ କରିଛନ୍ତି। ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିଲା ଯାତ୍ରାରେ। ବିଶେଷ କରି ମୀନା ବଜାରରେ ଲୋକଙ୍କ ଅଧିକ ଭିଡ଼ ଲାଗି ରହୁଥିଲା। ରଙ୍ଗ ବେରଙ୍ଗର ଘର କରଣା ଜିନିଷ କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ସେହିପରି ମୟୁରୀ-୨୦୨୫ ମଞ୍ଚରେ ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା ଯାହା ପୂଜାର ଅନ୍ୟ ଏକ ବଡ଼ ଆକର୍ଷଣ ଥିଲା। ଦୂରଦୂରାନ୍ତର ବନ୍ଧୁବାନ୍ଧବରେ ଘର ପୂରି ଉଠିଥିଲା। ହେଲେ ଯାତ୍ରା ଶେଷ ହୋଇଛି। ଶୁକ୍ରବାର ପ୍ରଭୂ ନେବେ ମେଲାଣି। ପ୍ରଭୂଙ୍କୁ ମେଲାଣି ଦେବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ କମିଟିର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଶାନ୍ତି ଶୃଙ୍ଖଳାର ସହ ପ୍ରଭୁଙ୍କୁ ମେଲାଣି ଦେବେ। ଏ ନେଇ ବିଭିନ୍ନ କମିଟିରେ ବୈଠକ ବସିଛି। ଯେପରି ଭଷାଣ ଶୋଭାଯାତ୍ରାରେ କୌଣସି ବିଶୃଙ୍ଖଳା ନ ହେବ ସେଥିପ୍ରତି କମିଟିର ମୁଖିଆମାନେ ଧ୍ୟାନ ଦେବେ ବୋଲି କହିଛନ୍ତି। ଯୁବକମାନଙ୍କୁ ମଧ୍ୟ ଏ ନେଇ ସେମାନେ ଅନୁରୋଧ କରିଛନ୍ତି ସହଯୋଗ କରିବା ପାଇଁ। ଯୁବକମାନେ ମଧ୍ୟ ଶୃଙ୍ଖଳିତ ଉପାୟରେ ପ୍ରଭୂଙ୍କୁ ମେଲାଣି ଦେବେ। ଭଷାଣ ଶୋଭାଯାତ୍ରାରେ ଯେପରି ଗଣ୍ଡଗୋଳ ନ ହେବ ସେଥିନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି। ବଅଁରପାଳ ଥାନା ପୁଲିସ ଓ ମହିଧରପୁର ଫାଣ୍ଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ସେହିପରି ରିଜର୍ଭ ଫୋର୍ସ ମଧ୍ୟ ମଗାଯାଇଛି। ପ୍ରତି ମେଢରେ ପୁଲିସ ମୁତୟନ ରହିବେ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତେ ଚେଷ୍ଟା କରିବେ। ଏ ନେଇ ଆମେ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛୁ ବୋଲି କହିଛନ୍ତି ବଅଁରପାଳ ଆଇଆଇସି ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସିଂହ ଓ ଫାଣ୍ଡି ଅଧିକାରୀ ମାନସ କୁମାର ମିଶ୍ର। ସେମାନେ କହିଛନ୍ତି କମିଟିର କର୍ମକର୍ତ୍ତାମାନେ ଅତ୍ୟନ୍ତ ସହଯୋଗୀ ମନୋଭାବର। ପ୍ରତିଦିନ ସେମାନେ ପୁଲିସକୁ ସହଯୋଗ କରିଛନ୍ତି। ଯାହା ଫଳରେ କୌଣସି ବିଶୃଙ୍ଖଳା ହୋଇନାହିଁ। ତେଣୁ ପ୍ରତି ପୂଜା କମିଟିକୁ ଫାଣ୍ଡି ଅଧିକାରୀ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି ମହିଧରପୁର ଅଞ୍ଚଳର ପୂଜାକମିଟିଗୁଡିକର କର୍ମକର୍ତ୍ତାମାନେ ଆମକୁ ବେଶ ସହଯୋଗ କରିଛନ୍ତି। ଯାହା ଫଳରେ ଏତେବଡ଼ ପୂଜା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ଶୁକ୍ରବାର ହେବ ଭଷାଣ ଯାତ୍ରା। ଆଶା କରୁଛୁ ଏହି ଦିନ ମଧ୍ୟ କମିଟି କର୍ମକର୍ତ୍ତାମାନେ ଆମକୁ ସାହାଯ୍ୟର ହାତ ବଢାଇବେ। ସେହିପରି ମହିଧରପୁର କେନ୍ଦ୍ରୀୟ ପୂଜା କମିଟିର ସଭାପତି ବିନୋଦ କୁମାର ବେହେରା ଏବଂ ହାଟଛକ ପୂଜା କମିଟି ର ସମ୍ପାଦକ ବସନ୍ତ କୁମାର ନାୟକ କହିଛନ୍ତି ପୁଲିସ ପ୍ରଶାସନ ପକ୍ଷରୁ ଆମକୁ ବେଶ ସହଯୋଗ ମିଳିଛି। ସେମାନଙ୍କ ସହଯୋଗ ବିନା ଏତେବଡ଼ ମହୋତ୍ସବ କରିବା ସମ୍ଭବ ହୋଇ ପାରି ନଥାନ୍ତା। ଏଥିପାଇଁ ଆମେ ପୁଲିସ ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ନିକଟରେ କୃତଜ୍ଞ। ମହୋତ୍ସବରେ ପୁଲିସ ପ୍ରଶାସନର ବେଶ ସହଯୋଗ ରହିଥିଲା। ଭଷାଣ ଉତ୍ସବରେ ମଧ୍ୟ ଅନୁରୂପ ସହଯୋଗ ଆମେ ଆଶା କରିବୁ। ଶାନ୍ତି ଶୃଙ୍ଖଳାର ସହ ଭଷାଣ ମହୋତ୍ସବ ହେବ ବୋଲି ପୂଜା କମିଟି କର୍ମକର୍ତ୍ତା ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *