ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ପରେ ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚଳାଇଛି । ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେର (୨୧)ଙ୍କୁ କୋଇଲା ଖଣିରେ ଚାକିରି କରାଇ ଦେବାକୁ କହି ବ୍ରଜରାଜନଗର ଅଞ୍ଚଳର ଅମିତ ବଢ଼େଇ ନାମକ ଯୁବକ କିଛିମାସ ପୂର୍ବର ତାଙ୍କଠାରୁ ୯୫ ହଜାର ଟଙ୍କା ନେଇଥିଲେ।ଚାକିରି ମିଳିବବୋଲି କହି ଅମିତ ଦିନ ଗଡ଼ାଇ ଚାଲିଥିଲେ । ହେଲେ ଚାକିରୀ ନ ହେବାରୁ ଟଙ୍କା ଫେରାଇବା ପାଇଁ ଲୋକନାଥ ତାଙ୍କୁ କହିଥିଲେ । ଅମିତ ବାଧ୍ୟ ହୋଇ ଗତ ୪ ତାରିଖରେ ଲୋକନାଥଙ୍କୁ ଧରି ଅନୁଗୋଳରେ ପହଞ୍ଚିଥିବା ସହ ଏକ ବାଇକ୍ରେ ଲୋକନାଥଙ୍କୁ ବସାଇ ଖଣିକୁ ଯିବେ ବୋଲି କହି ନେଇଥିଲେ। ପରେ ଲୋକନାଥଙ୍କ ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରି ନ ପାରିବାରୁ ସେ ନିଖୋଜ ଥିବା ନେଇ ସମ୍ବଲପୁର ଥାନାରେ ଅଭିଯୋଗ କରିଥିଲେ।
ସମ୍ବଲପୁର ପୋଲିସ ଅମିତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ସହଯୋଗରେ ସମ୍ବଲପୁର ପୋଲିସ କଙ୍କରେଇ ନାଳରେ ଲୋକନାଥଙ୍କ ମୃତଦେହ ଠାବ କରିବା ସହ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅମିତକୁ ଅଟକ ରଖି ପଚରାଉଚରା ଚଳାଇବା ସହ ମୃତଦେହ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
