କ୍ଷମତାକୁ ଆସିବାର ୬ ମାସ ଭିତରେ ରାଜ୍ୟ ସରକାର ପ୍ରତିଶ୍ରୁତି ରକ୍ଷା କରିବା ସହ, ଚାଷୀଙ୍କ ଖାତାକୁ ଗଲା ୮ଶହ ଟଙ୍କା ଲେଖାଏଁ ଇନପୁଟ୍ ସହାୟତା। ଆଜି ବରଗଡ଼ ସୋହେଲା ସମାବେଶରେ ଚାଷୀଙ୍କୁ ଇନପୁଟ୍ ସହାୟତା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ ୨୩୦୦ ଟଙ୍କା MSP ସହିତ ରାଜ୍ୟ ସରକାରଙ୍କ ୮୦୦ ଟଙ୍କା ଇନପୁଟ୍ ସହାୟତା ଚାଷୀଙ୍କ ଖାତାକୁ ଯାଇଛି। ଏହି ଅବସରରେ ଅନୁଗୋଳ ସହର ସ୍ଥିତ ବିଜୁ ମଇଦାନରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅନୁଗୋଳ, ଛେଣ୍ଡିପଦା ଓ ପାଲଲହଡ଼ା ବିଧାୟକ ଗଣ, ଅନୁଗୋଳ ଜିଲ୍ଲାପାଳଙ୍କ ସହ ପ୍ରସାଶନିକ ଅଧିକାରୀ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଚାଷୀ ଯୋଗଦେଇଥିଲେ । ଏହି ଅବସରରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ। ପୂର୍ବ ସରକାର ସୋହେଲାରେ ୧୦୦ ଟଙ୍କା ବୋନସ୍ ଦେବାକୁ କହିଥିଲେ ମଧ୍ୟ ସେମାନେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରି ପାରିନଥିବାବେଳେ,

ମୋହନ ସରକାର ସେହି ସୋହେଲାରେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ୮୦୦ ଟଙ୍କା ଇନପୁଟ୍ ସହାୟତା ଦେଇଛନ୍ତି ବୋଲି କହିଥିଲେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି । ଅନୁଗୋଳ ଜିଲ୍ଲାରେ ଚଳିତ ଥର ମୋଟ୍ ୯୯ଟି ମଣ୍ଡିରେ ଧାନ କିଣାଯିବାର ବ୍ୟବସ୍ଥା ଥିବାବେଳେ ପ୍ରାୟ ୪୬ ହଜାର ଚାଷୀ ଏଥିପାଇଁ ନାମ ପଞ୍ଜିକରଣ କରିଛନ୍ତି । ଧାନ ବିକ୍ରୀ କରିବାର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର ବ୍ୟବସ୍ଥା ହୋଇଛି । ଚଳିତବର୍ଷ ପଞ୍ଜିକରଣ କରିଥିବା ଚାଷୀ ଭଲ ଓ ପରିଷ୍କାର ଧାନ ମଣ୍ଡିକୁ ଆଣିବା ପାଇଁ ମିଲରଙ୍କ ପକ୍ଷରୁ ଚାଷୀଙ୍କୁ ନିବେଦନ କରାଯାଇଛି ।

