ପାଠ ପଢା ପାଇଁ ପ୍ରାୟ ୫୦ଫୁଟ ଗଭୀର ପାଣିରେ ଜୀବନକୁ ବାଜି ଲଗାଇ ପାର ହେଉଛନ୍ତି ଛାତ୍ରଛାତ୍ରୀ ।
ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ ଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ
କୁମ୍ଭୀର ଭୟ ଥିଲେ ମଧ୍ୟ ପାଠ ପଢିବା ରେ ହାର ମାନୁନାହାନ୍ତି ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ରହିଛି ଟିକରପଡ଼ା ଗ୍ରାମ ପଞ୍ଚାୟତ। ଟିକରପଡ଼ା ଗ୍ରାମରେ ବିଦ୍ୟାଳୟ ଥିବା ବେଳେ ଅନ୍ୟ ଗ୍ରାମର ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ନାଳ ପାର ହୋଇ ଯାଉଛନ୍ତି। ନାଳ ପାର ହୋଇ ଗଲେ ଦୁଇ କିଲୋମିଟର ହେଉଥିବା ବେଳେ ରାସ୍ତାରେ ଗଲେ ପ୍ରାୟ ଦଶ କିଲୋମିଟର ହେବ ବୋଲି ଗ୍ରାମର ଲୋକମାନେ କହିଛନ୍ତି। ଅଭୟାରଣ୍ୟ ଭିତରେ ପେଟକୁ ଖାଇବା ପାଇଁ ପାଉ ନଥିବା ଲୋକ ମାନେ ପିଲା ମାନଙ୍କୁ ସାଇକେଲ ଦେବାର ମଧ୍ୟ ସକ୍ଷମ ନାହିଁ। ପିଲା ମାନେ ପାଠ ପଢିବା ନିଶାରେ ଝଡ଼ ବର୍ଷା ହେଲେ ମଧ୍ଯ ବିଦ୍ୟାଳୟ ଯାଉଛନ୍ତି। ବର୍ଷା ଋତୁରେ ପିଲାମାନେ ଡଙ୍ଗା ପାର ହେଉଥିବା ବେଳେ ଅନ୍ୟ ଦିନେ ନାଳ ଶୁଖିଲା ହୋଇ ଯାଉଥିବାରୁ କୌଣସି ଅସୁବିଧାର ସମ୍ମୁଖିନ ହୁଅନ୍ତି ନାହିଁ। ଟିକରପଡ଼ା ଗ୍ରାମ ପଞ୍ଚାୟତର ଗଇଁନ୍ଦି, ବେହେରାସାହି, ନୁଆଗଇଁନ୍ଦି, ଅଣାଖଣି, ଏବଂ ମଝିପଡ଼ା ଗ୍ରାମରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ପିଲା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟକୁ ପାଠ ପଢ଼ି ଯାଉଛନ୍ତି। ଉକ୍ତ ନାଳ ଉପରେ ଗୋଟିଏ ପୋଲ ନିର୍ମାଣ କରିବା ଲାଗି ସାଧାରଣରେ ଦାବି ହେଉଛି।
