ମୁଖ୍ୟ ଅଭିଯୁକ୍ତ ଚମ୍ପଟ ମାରି ଥିବାବେଳେ ଚାରି ଅଭିଯୁକ୍ତ ,
ବୋମା ସହ ବହୁ ମାରଣାସ୍ତ୍ର ଜବତ
ଅନୁଗୋଳ ପୋଲିସକୁ ବଡ଼ ସଫଳତା। ଅନୁଗୋଳ ଟାଉନ ଥାନା ପୋଲିସ ରାତି ପାଟ୍ରୋଲିଂ ସମୟରେ ଏକ ଡକାୟତ ଦଳକୁ ଗିରଫ କରିଛି। ଡକାୟତ ଦଳର ମୁଖ୍ୟ କାର୍ପଟଦାର ପୋଲିସ ହାତରୁ ଖସିଯାଇଥିଲେ ବି ୪ ସହଯୋଗୀକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି।

ଏମାନେ ଏକ କ୍ଷୀର ଗୋଦାମରୁ ଲୁଟପାଟ କରିବାକୁ ଗୁରୁବାର ବିଳମ୍ବିତ ରାତିରେ ଯୋଜନା କରୁଥିବା ବେଳେ ପୋଲିସ ମାଡ଼ି ବସିଥିଲା। ଗିରଫମାନେ ହେଲେ କଟକ ମଧୁପାଟଣା ଥାନା ଲିଙ୍କ ରୋଡ ଶ୍ରୀନଗର ଗଳିର ୨୫ ବର୍ଷୀୟ ଯୁବକ ଅମର ସିଂ , ଜଗତସିଂହପୁର ଜିଲ୍ଲା ବାଲିକୁଦାର ଦୀପ୍ତିରଞ୍ଜନ ସାହୁ, ପୁରୀ ଜିଲ୍ଲାର ଚନ୍ଦନପୁରର ୨୧ ବର୍ଷୀୟ ଯୁବକ ଆଶୁତୋଷ ମହାପାତ୍ର ଏବଂ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ୨୨ ବର୍ଷୀୟ ଯୁବକ ଶଶିକାନ୍ତ ବେହେରା । ପୋଲିସ ସୂଚନା ମୁତାବକ ଅନୁଗୋଳ ସହର ମଦନମୋହନପଡ଼ା ସ୍ଥିତ ମଦନମୋହନ ମନ୍ଦିର ସମୁଖ ଏକ ଗଛ ପିଣ୍ଡିରେ ୫ ରୁ ୬ଜଣ ବ୍ୟକ୍ତି ବିଳମ୍ବିତ ରାତିରେ ବସିଥିଲେ। ପାଟ୍ରୋଲିଂ ବେଳେ ଏମାନେ ଦୌଡ଼ିବାକୁ ଲାଗିଥିଲେ।

ସନ୍ଦେହରେ ପୋଲିସ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କୁ ଧରିଥିଲା। ସେମାନଙ୍କଠାରୁ ଦୁଇଟି ବାଇକ ସମେତ ମୋବାଇଲ ଫୋନ, ଲୁହା ଚାପଡ଼ ମାରଣାସ୍ତ୍ର, ଦୁଇଟି ହାତ ତିଆରି ବୋମା, ଲଙ୍କାଗୁଣ୍ଡ ପ୍ୟାକେଟ, ବ୍ୟବହୃତ ୨ ମଦ ବୋତଲ ପୋଲିସ ଜବତ କରିଛି। ଧରାପଡ଼ିଥିବା ଅଭିଯୁକ୍ତଙ୍କ ସୂଚନା ଅନୁଯାଇ, ଫେରାର ହୋଇଯାଇଥିବା ସାଥୀ ହେଉଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ନିରୋଦ ଗଡ଼ନାୟକ । ନିରୋଦର ସାଥୀଭାବେ ଏହି ୪ ଜଣ ଡକାୟତି କରିବାକୁ ଅନୁଗୋଳ ଆସିଥିଲେ। ଏମାନଙ୍କ ଟାର୍ଗେଟରେ ଥିଲେ ଏକ ପ୍ରଗତି ଓ ଓମଫେଡ ଦୁଗ୍ଧ ଗୋଦାମ। ସମସ୍ତଙ୍କୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଟାଉନ୍ ପୋଲିସ ।

