ଅନୁଗୋଳ (୧୨/୦୨/୨୬) : ଜିଲ୍ଲା ରେ ଏକ ହତ୍ୟା ଅଭିଯୋଗ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ତଥା ସ୍ବତନ୍ତ୍ର ଅଦାଲତ ଭିଜିଲାନ୍ସ ଜର୍ଜ ରାଜଲକ୍ଷ୍ମୀ ପଟ୍ଟନାୟକ ଅଭିଯୁକ୍ତ ଶ୍ରୀଧର ମୁଣ୍ଡାକୁ ବୁଧବାର ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦେଶ ଦେଇଛନ୍ତି। ଜୋରିମାନା ପୈଠ ନକରନ୍ତି ଅଧିକ ୩ ମାସ ଜେଲ ଦଣ୍ଡ ବିଧାନ ହୋଇଛି। ସୂଚନା ମୁତାବକ ୨୦୨୪ ଜାନୁଆରୀ ୨୫ରେ ହାତିବାରୀ ଗ୍ରାମର ଶୁକ୍ର ମୁଣ୍ଡାଙ୍କ ଝିଅ ସସ୍ମିତା ଗ୍ରାମର ଅଭିଯୁକ୍ତ ଶ୍ରୀଧର ମୁଣ୍ଡାକୁ ମୁଣ୍ଡାକୁ ବିବାହ କରିଥିଲେ । କିଛିଦିନ ଶାନ୍ତିଶୃଙ୍ଖଳା ରେ ପରିବାର ଚଳିବା ପରେ ପତିପତ୍ନୀଙ୍କ ମଧ୍ୟରେ ବିବାଦ ହେବାରୁ ସସ୍ମିତା ବାପ ଘରକୁ ଚାଲି ଆସିଥିଲେ। ଅଘଟଣାର କିଛିଦିନ ପୂର୍ବରୁ ବୁଝାସୁଝା କରି ସ୍ତ୍ରୀ ସସ୍ମିତା କୁ ଶ୍ରୀଧର ଘରକୁ ଆଣିଥିଲା । ଘଟଣାଦିନ ରାତିରେ ସସ୍ମିତା ବିଷ ପିଇ ଦେଇଥିବା ଶ୍ୱଶୁର ଶୁକ୍ରଙ୍କ ପରିବାରକୁ ଶ୍ରୀଧର ଖବର ଦେଇଥିଲେ । ଝିଅକୁ ଜୋରଜବରଦସ୍ତ ବିଷ ପିଆଇ ଦିଆ ଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବା ସହିତ ପୁଲିସ ତଦନ୍ତ କରି ଶ୍ରୀଧର ନାମରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଉକ୍ତ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ପକ୍ଷରୁ ଅଭିଯୁକ୍ତ ଶ୍ରୀଧରକୁ ଆଜୀବନ ଜେଲ ଦଣ୍ଡରେ
ଦଣ୍ଡିତ କରାଯାଇଛି। ଏହି ମାମଲାକୁ ପିପି ପ୍ରଶାନ୍ତ କୁମାର ମଲ୍ଲିକ ଓ ଅତିରିକ୍ତ ପିପି ଅରୁଣ କୁମାର ସାମଲ ପରିଚାଳନା କରିଥିଲେ।
