ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ ତଦନ୍ତ ସହ କିଛି ଯୁବକ ଥାନାରେ ଅଟକ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ରାତିରେ ଘରେ ପଶି ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଅଭିଯୋଗ ନେଇ ପୋଲିସ ପକ୍ଷରୁ ତଦନ୍ତ ଜୋରଦାର ।

ଲୁଟର ଶିକାର ବିଜୟ ଓ ଅଜୟ ଭୁତିଆଙ୍କ ପରିବାର। ସୂଚନାଅନୁଯାୟୀ ଗତକାଲି ରାତିରେ ବିଜୟ ଭୁତିଆ ତାଙ୍କ ସ୍ତ୍ରୀ ଯୋରନ୍ଦା ମେଳା ଦେଖିବାକୁ ଯାଇଥିବାବେଳେ ଘରେ ବିଜୟଙ୍କ ଝିଅ ଭାଇବୋହୁ ଓ ତାଙ୍କର ଛୋଟଛୁଆ ଥିଲେ । ରାତିରେ ଘର ମଧ୍ୟକୁ ପ୍ରାୟ ୫ରୁ ଉର୍ଦ୍ଧ ବ୍ୟକ୍ତି ପ୍ରବେଶ କରି ଭିତର ପାଖରୁ କବାଟ ବନ୍ଦ କରି ବିଜୟଙ୍କ ଭାଇବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ହାତକୁ ବାନ୍ଧି ପିଟିବା ସହ ବିଜୟଙ୍କ ଝିଅ ବେକରେ ଛୁରୀ ଲଗାଇ ଅଜୟଙ୍କ ଦୁଇ ଛୋଟ ହତ୍ୟା ଧମକ ଦେବା ସହ ନଗଦ ୪ ଲକ୍ଷ ଟଙ୍କା ଓ ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ।

ଲୁଟ ସମ୍ବନ୍ଧରେ ଗ୍ରାମରେ ଜଣାଇବା ପରେ ଗ୍ରାମବାସୀ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏସଡିପିଓ ରମାକାନ୍ତ ମହାଳିକ, ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଆଇପିଏସ ଅଧିକାରିଣୀ, ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ, ଏସ ଆଇ ଅମିତ୍ ମିଶ୍ର, ଏ ଏସ୍ ଆଇ ବିଜୟଲକ୍ଷ୍ମୀ ନାୟକ ସମେତ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ବୁଧୁବାର ସକାଳେ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଜିଲ୍ଲାରେ ସାଇଣ୍ଟିଫିକ ଟିମ ବ୍ୟବସ୍ଥା ପ୍ରଯ୍ଯାପ୍ତ ନଥିବାରୁ ଯେଉଁ ଦଳ ଅଛନ୍ତି ସେମାନେ ଅନ୍ୟ ଅନ୍ୟ ଏକ ଘଟଣାରୁ ଫେରିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ମଧ୍ୟରେ ବଅଁରପାଳ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ପଇଁତରା ମାରି କିଛି ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ସୂଚନା ମିଳିଛି।
