ଅନୁଗୁଳ ଜିଲ୍ଲା କଣିହାଁ ଥାନା ଲୁଧାଝରି ଗାଁର ସୁଭଦ୍ରା ନାମ୍ନୀ ଯୁବତୀଙ୍କ ତାଳଚେର ରେଳ ଷ୍ଟେସନରୁ ଗତ ୨୬ ଏପ୍ରିଲ୍ରୁ ନିଖୋଜ ଏବଂ ପରବର୍ତ୍ତୀ ସମୟରେ ଅର୍ଦ୍ଧଦଗ୍ଧ ମୃତ ଶରୀର ବଅଁରପାଳ ଥାନା କେନ୍ଦୁପଲି ଅଞ୍ଚଳରୁ ମିଳିବା ଘଟଣା ଜିଲ୍ଲାର ସଚେତନ ନାଗରିକ, ବୁଦ୍ଧିଜୀବୀ ସର୍ବୋପରି ସମସ୍ତ ସ୍ତରର ଜନସାଧାରଣଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି ।
ବିଶେଷକରି ପୋଲିସ୍ ପ୍ରାଥମିକ ପର୍ଯ୍ୟାୟରେ ଅବହେଳା କାରଣରୁ ଅପରାଧୀମାନେ ଅଦ୍ୟାବଧି ଗିରଫ ହୋଇନଥିବା ଘଟଣା ଜନସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଆଜି ପୂର୍ବାହ୍ନରେ ନାରୀ ନିର୍ଯ୍ୟାତନା ବିରୋଧୀ ଗଣ କମିଟି, ଅନୁଗୁଳ ତତ୍ତ୍ୱାବଧାନରେ ଲୁଧାଝରୀ ଅଞ୍ଚଳର ଶହ ଶହ ମହିଳା, ପୁରୁଷଙ୍କ ସମେତ ଅନୁଗୁଳ ଜିଲ୍ଲାର ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଆଦି ମିଳିତ ଭାବରେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ଏସ୍.ପି. ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ । ସୁଭଦ୍ରା ନାଁରେ ମହିଳାଙ୍କୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେଉଥିବା ବେଳେ ରାଜ୍ୟର ସୁଭଦ୍ରାମାନଙ୍କୁ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ୍ ସରକାର ଅସମର୍ଥ ବୋଲି ସେ ଅଭିଯୋଗ କରିଥିଲେ । ମୃତ୍ୟୁ ସୁଭଦ୍ରାର ବାପା ପଞ୍ଚାନନ ପଦିଲି, ଜାନକୀ ସେଠୀ, ଲକ୍ଷ୍ମୀପ୍ରିୟା ସେଠୀଙ୍କ ସମେତ ମହିଳା ସଂଗଠିକା ମିନତୀ ସାମଲ, ଯୁବ ସଂଗଠକ ମାନସ ପାଳ, କୈଳାସ ସାହୁ, ଛାତ୍ର ସଂଗଠକ ପରମାନନ୍ଦ ସାହୁ, ଏସ୍.ୟୁ.ସି.ଆଇ.(କମୁ୍ୟନିଷ୍ଟ) କଣିହାଁ ଆଞ୍ଚଳିକ କମିଟି ସମ୍ପାଦକ ପ୍ରହ୍ଲାଦଚନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶ୍ରୀମତୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାସହ ଆଲୋଚନା କରିଥିଲେ । ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର ଦଣ୍ଡବିଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବାପରେ ଘେରାଉ କାର୍ଯ୍ୟକ୍ରମ ପ୍ରତ୍ୟାହୃତ ହୋଇଥିଲା ।
