୫ ଅଭିଯୁକ୍ତ ମଧ୍ୟରୁ ଲୁଟର ମୁଖ୍ୟ ଅଭିଯୁକ୍ତ ଥିଲେ ସଂସ୍ଥାର ମ୍ୟାନେଜର
ଗତ ଅକ୍ଟୋବର ମାସ ୧୫ ତାରିଖରେ ନାଲକୋନଗର ଥାନା କୁଲାଡ଼ ଅଞ୍ଚଳରେ ଥିବା ଫ୍ଲିପ କାର୍ଡ ହବରେ କିଛି ଦୁର୍ବୃତ୍ତ ନକଲି ବନ୍ଧୁକ ଦେଖାଇ ଟଙ୍କା ଓ ହବ ରେ ଥିବା କିଛି ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଲୁଟେରା ଗ୍ୟାଙ୍ଗକୁ ଅନୁଗୋଳ ପୋଲିସ କାବୁ କରିବାରେ ସଫଳତା ପାଇଛି । ନିଜେ ମ୍ୟାନେଜର ଏହି ଡକାୟତିର ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡ଼ିଛି । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ । ସୂଚନା ଯେ, ଢେଙ୍କାନାଳ ଜିଲ୍ଲାର ଗୁଣ୍ଡିଚାପଡାର ରାଜେଶ ପରିଡା ଫ୍ଲିପ କାର୍ଡ ହବରେ ମ୍ୟାନେଜର ଭାବେ କାମ କରୁଥିଲେ । ଏଠାରେ ମ୍ୟାନେଜର ରହି ଏହିଠାରୁ ଲୁଟ କରିବା ଯୋଜନା କରି କିଛି ଯୁବକଙ୍କୁ ସାମିଲ କରିବା ସହ ୧୫ ତାରିଖରେ ନକଲି ବନ୍ଧୁକ ଓ ଛୁରୀ ଦେଖାଇ ପ୍ରାୟ ୫ ଲକ୍ଷ ଟଙ୍କା ଆଉ କିଛି ନୁଆଁ ମୋବାଇଲ ଲୁଟ କରିଥିଲେ । ଲୁଟ ହେବା ପରେ ନାଲକୋନଗର ଥାନା ପୋଲିସ ଅଭିଯୋଗ ପାଇ ତନାଘନା ଆରମ୍ଭ କରିଥିଲା । ଆଉ ତଦନ୍ତ ବେଳେ ମ୍ୟାନେଜର ସାମିଲ ଥିବା ଜଣା ପଡିଥିଲା । ମ୍ୟାନେଜରକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ସବୁ କଥା ମାନି ଯାଇଥିଲା ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଏହି ଘଟଣାରେ ମ୍ୟାନେଜର ରାଜେଶ ପରିଡା ସମେତ ୫ ଜଣଙ୍କୁ ଗିରଫ କରା ଯାଇଛି । ଅନ୍ୟ ୪ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲାର ସତ୍ୟଜିତ ନାଏକ, ସମ୍ବିତ ନାଏକ , ରଣେନ୍ଦ୍ର ନାଏକ ଓ ମହାଜ୍ୟୋତି ନାଏକ । ସେମାନଙ୍କ ନିକଟରୁ ଛୁରୀ, ଏକ ଖେଳନା ବନ୍ଧୁକ, ୨ଟି ଚୋରା ମୋବାଇଲ ସମେତ ୬ଟି ମୋବାଇଲ ଓ ୭୦ ହଜାର ଟଙ୍କା ଜବତ ହୋଇଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ପ୍ରେସ ବିବୃତ୍ତି ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ।
