ନଳକୂପ ବାହାରୁଛି ନାଲି ପାଣି, କୂଅରୁ ବାହାରୁଛି ଦୂଷିତଜଳ
ଫାଲଗୁନ ମାସ ଛୁଇଁବା ବେଳକୁ ଜିଲ୍ଲାରେ ତାପମାତ୍ରା ୩୫ଡିଗ୍ରୀ ପାର ହେଲାଣି। ଅନେକ ସ୍ଥାନରେ ନଦୀ, ନାଳ, କୁଅ ଗୁଡିକ ଶୁଖିବାକୁ ଲାଗିଲାଣି। ପତ୍ରଝଡା ସାଙ୍ଗକୁ ମଧ୍ୟାହ୍ନରେ ଅଳ୍ପଅଳ୍ପ ଝାଞ୍ଜି ଅନୁଭୂତ ହେଲାଣି। ଏହାର ମଧ୍ୟରେ ଆରମ୍ଭ ହୋଇଛି ପାନୀୟ ଜଳ ସମସ୍ୟା। ଦିନେକି ଦୁଇ ଦିନ ନୁହଁ ବରଂ ଜନ ବସତି ଆରମ୍ଭରୁ ଏପର୍ଯ୍ୟନ୍ତ ପାନୀୟ ଜଳ ଅପେକ୍ଷାରେ ରହିଛନ୍ତି ଚନ୍ଦନପୁର ଅଞ୍ଚଳର ବାସିନ୍ଦା। ଅନୁଗୋଳ ବ୍ଲକ ଅନ୍ତର୍ଗତ ୧୮ଟି ୱାର୍ଡକୁ ନେଇ ଗଠିତ ହୋଇଛି କାଙ୍ଗୁଲା ବେନ୍ତପୁର ପଞ୍ଚାୟତ। ସଦରମହକୁମା ଠାରୁ ମାତ୍ର ୭ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ। ଏ ପର୍ଯ୍ୟନ୍ତ ଏହି ଗାଁର ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି କି ଏଯାବତ ପିଇବା ପାଣି,ସଡ଼କ ଆଦି ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ଗ୍ରାମର ୨ନମ୍ବର ୱାର୍ଡ ମଧ୍ୟରେ ରହିଛି ଚନ୍ଦନପୁର ସାହି। ପ୍ରାୟ ୨୫ରୁ ୩୦ଟି ପରିବାର ଏଠାରେ ବସବାସ କରୁଥିବା ବେଳେ ସମସ୍ତ ଲୋକ ମୂଲମଜୁରୀ କରି ଚାଲିଥାନ୍ତି। ଘର ଖଣ୍ଡେ କରି ରହିବା ପାଇଁ ମଧ୍ୟ କେତେକଙ୍କ ପାଖରେ ସମ୍ବଳ ନାହିଁ। ଏଠାରେ ବସବାସ କରୁଥିବା ଲୋକେ ପିଇବା ପାଣି ଟୋପେ ପାଇଁ ଏବେ ଠାରୁ ଡହଳବିକଳ ହେଲେଣି। ଲୋକ ସଂଖ୍ୟା ପ୍ରାୟ ଶହେରୁ ଉର୍ଦ୍ଧ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଏଠାରେ ଗୋଟିଏ ନଳକୂପ ଖନନ କରାଯାଇଛି। ଯାହା ଖୋଲିବା ଦିନରୁ କେଇଟା ଦିନ କାମରେ ଲାଗିଥିବା ବେଳେ ଅଚଳ ହୋଇ ପଡିଛି। ଏଠାରେ ବର୍ଷବର୍ଷ ଧରି ବସବାସ କରୁଥିବା ଲୋକ ମାନଙ୍କର ପ୍ରମୁଖ ସମସ୍ୟା ପାନୀୟଜଳ। ପାଣି ମୁନ୍ଦେ ପାଇଁ ଅନ୍ୟ ଲୋକଙ୍କ ଆଗରେ ହାତଯୋଡି ନେହୁରା ହେବାକୁ ପଡୁଛି। କେତେକ ଲୋକ ଦୈନଦିନ ଚଳଣି ପାଇଁ ଖୋଲାକୁଅ ଖୋଳିଛନ୍ତି। କିନ୍ତୁ ଏହି ଖୋଲାକୂଅର ପାଣି ପିଇବା ତ ଦୂରକଥା ଏହା ଲୁଗାସଫା ପାଇଁ ମଧ୍ୟ ଅନୁପଯୁକ୍ତ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ନିର୍ବାଚନ ଆଗରୁ କେତେକ ନେତା ଆସି ପାଣି, ବିଜୁଳି, ରାସ୍ତା ଆଦି ସମସ୍ତ ସମସ୍ୟା ସମାଧାନ ହୋଇଯିବ ବୋଲି କହିଥିଲେ। ହେଲେ ନିର୍ବାଚନ ସରିବା ପରେ କାହାର ଆଜି ପର୍ଯ୍ୟନ୍ତ ଦେଖାମିଳି ପାରିଲାନାହିଁ ବୋଲି ଲୋକେ ପ୍ରକାଶ କରିଛନ୍ତି। ପାଣି ପାଇଁ ପାଇପ ଖଣ୍ଡେ ପୋତି ଦେଇଥିବା ଦେଖାଯାଇଛି।
ଏନେଇ କାଙ୍ଗୁଲା ସରପଞ୍ଚ ଅର୍ଚ୍ଚନା ସେଠି ଙ୍କ ପ୍ରତିନିଧିଙ୍କୁ ଫୋନ ଯୋଗେ ପଚାରିବାରୁ ପଞ୍ଚାୟତରେ ନୂଆ ନଳକୂପ ଖୋଳି ବାକୁ ନିବେଦନ କରାଯାଇଛି। ଏ ଘଟଣା ବିଷୟରେ ଅନୁଗୋଳ ବ୍ଲକ ଅଧିକାରୀ ବିଶ୍ଵ ଭୂଷଣ ଙ୍କୁ ଘଟଣା ବିଷୟରେ ପଚାରିବାରୁ ମୁଁ ବାଇଟ ଦେଇ ପାରିବି ନାହିଁ ବୋଲି କହିଥିଲେ। ତା ପରେ ଅନୁଗୋଳ ସବ୍ ଡିଭିଜନ ଆସିଷ୍ଟାଣ୍ଡ ଏଜ୍ୟୁଟିଭ ଇଞ୍ଜିନିୟରିଂ ପଚାରିବାରୁ ସଙ୍ଗେ ସଙ୍ଗେ JEE ନମିତା ବେହେରା ଙ୍କୁ ଯଥା ଶୀଘ୍ର ସମସ୍ୟା ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦେଖିବାକୁ ବାକି ରହିଲା ଯେ, ଚନ୍ଦନପୁର ବାସିନ୍ଦା କେବେ ପାଉଛନ୍ତି ସୁଦ୍ଧ ପାନୀୟ ଜଳ।

 
                                