ଅନୁଗୋଳ ଜିଲ୍ଲାରେ ବଢ଼ି ଚାଲିଛି ମହିଳା ବିରୋଧୀ ହିଂସା। ଏଥିରେ ରୋକ୍ ଲଗାଇବା ପାଇଁ ଏକ ଅଭିନବ ଯୋଜନା ହାତକୁ ନେଇ ଅନୁଗୋଳ ପୋଲିସ ପ୍ରଶାସନ । ‘ଶକ୍ତି ବାହିନୀ’ ନାମରେ ଏକ ମୋବାଇଲ ପାଟ୍ରୋଲିଂ ଟିମ୍ ଗଠନ କରାଯାଇଛି। ଏଥିରେ ଦକ୍ଷ ଓ ତାଲିମ୍ପ୍ରାପ୍ତ ମହିଳା ପୋଲିସଙ୍କୁ ରଖାଯାଇଛି। ୪ଟି ସ୍କୁଟରରେ ୮ ଜଣ ପୋଲିସ କର୍ମଚାରୀ ପୂଜା ସମୟରେ ସହର ଭିତରେ ପଇଁତରା ମାରିବେ। କେଉଁଠି ମହିଳା ବିରୋଧୀ କୌଣସି କାର୍ଯ୍ୟକଳାପ ନେଇ ଖବର ପାଇଲେ ତୁରନ୍ତ ସେଠାରେ ପହଞ୍ଚିବେ। ପୂଜା ସମୟରେ ଯେମିତି ମହିଳାଙ୍କୁ କେହି ଖରାପ ବ୍ୟବହାର ନ କରିବେ ଓ ମହିଳାମାନେ ସୁରକ୍ଷିତ ଭାବେ ପୂଜା ବୁଲିପାରିବେ ତା’ ଉପରେ ବିଶେଷ କରି ନଜର ରଖିବ ଏହି ଟିମ୍। ଏହି ମୋବାଇଲ ପାଟ୍ରୋଲିଂ ଟିମ୍କୁ ଆଜି ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ ର ପୋଲିସ ଆଇଜି ସତ୍ୟବ୍ରତ ଭୋଇ ଓ ଅନୁଗୋଳ ଏସ୍ପି ରାହୁଲ ଜୈନ। ପୂଜା ସମୟରେ ଏହି ଯୋଜନା ସଫଳ ହେଲେ ପରବର୍ତ୍ତୀ ସମୟରେ ଏହା ନିୟମିତ ଭାବେ କାମ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। କୌଣସି ଲୋକଙ୍କର ମୋବାଇଲ ହଜିଗଲେ ସେମାନେ ୯୯୩୭୫୦୪୮୮୮ ନମ୍ବରକୁ ସିଧା ହ୍ବାଟସଆପ୍ ମାଧ୍ୟମରେ ଜଣାଇପାରିବେ। ଏଥିନେଇ ଥାନାକୁ ଆସି ଅଭିଯୋଗ କରିବା ଦରକାର ନାହିଁ ବୋଲି ଏସ୍ପି ରାହୁଲ ଜୈନ କହିଛନ୍ତି।
