
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଅଞ୍ଚଳରେ ଅଶ୍ରୁଭରା ଚକ୍ଷୁରେ ପ୍ରଭୁ କାର୍ତ୍ତିକେଶ୍ବରଙ୍କୁ ବିଦାୟ ଦେଇଛନ୍ତି ମହୀଧରପୁରର ହଜାର ହଜାର ଶ୍ରଦ୍ଧାଳୁ। ନୃତ୍ୟ ଓ ଗୀତରେ ମହୀଧରପୁର କମ୍ପି ଉଠିଥିଲା। ଚାରିଆଡେ ଚିରିଂ ଚିରିଂ ଗୀତର ମାହୋଲ ରହିଥିଲା। ଏହାସହ ମହୁଆ ପାଣି ଗୀତର ତାଳେ ତାଳେ ଯୁବକମାନେ ନୃତ୍ୟ କରିଥିଲେ।

ମହୀଧରପୁର ଅଞ୍ଚଳର ଯୁବକମାନେ ପ୍ରଭୁଙ୍କୁ ଗାଡିରେ ବସାଇ ନଦୀ ଅଭିମୁଖେ ନେଇଛନ୍ତି। ପ୍ରଭୁଙ୍କୁ ବିସର୍ଜନ କରିବା ବେଳେ ଶ୍ରଦ୍ଧାଳୁଙ୍କ ଆଖିରୁ ଅଶ୍ରୁ ବୋହି ଆସିଥିଲା। ଶ୍ରଦ୍ଧାଳୁମାନେ କହିଥିଲେ ପ୍ରଭୁଙ୍କୁ ପାଇବା ପାଇଁ ହେଲେ ପୁଣି ଆର ବରଷକୁ ଅପେକ୍ଷା କରିବାକୁ ପଡିବ। ଘଣ୍ଟ, ଘଣ୍ଟା, ହରିବୋଲ, ହୁଳହୁଳି ଶବ୍ଦରେ ପ୍ରଭୁଙ୍କୁ ମେଲାଣି ଦିଆଯାଇଛି। ରଘୁନାଥ ବଜାର, କ୍ରୀଷ୍ଣା ବଜାର, ମଧୁକିଶୋରୀ ବଜାର, ଲକ୍ଷ୍ମୀ ବଜାର, ହାଟ ଛକ, ଆନନ୍ଦ ବଜାର, ନୂଆ ସାହି, ବରସାହି, ତଳସାହି, ଜାମୁ ସାହି, ଶିବମନ୍ଦିର ଛକ ପ୍ରମୁଖ ୧୧ ସ୍ଥାନରେ ହୋଇଥିବା ପ୍ରଭୁ କାର୍ତ୍ତିକେଶ୍ବରକୁ ମେଲାଣି ଦେବା ପାଇଁ ପୂଜା କମିଟିଗୁଡିକ ପ୍ରସ୍ତୁତି ହୋଇଥିଲେ। ପ୍ରଭୁଙ୍କୁ ଗାଡିରେ ବସାଇ ସହର ପରିକ୍ରମା କରିବା ସହ ବିଭିନ୍ନ ନଦୀରେ ବିସର୍ଜନ କରିଛନ୍ତି।
ମେଲାଣିରେ ଏକ ମୁଖ୍ୟ ଆକର୍ଷଣ ଥିଲା ଶଗଡ଼ ଗାଡି। ୭ଟି ଶଗଡ଼ ଗାଡି ବିଭିନ୍ନ ପ୍ରକାରର ଥିମରେ ଆକର୍ଷଣୀୟ ହୋଇଥିଲା। ଗୋଟିଏ ଶଗଡ଼ରେ ଶ୍ରବଳକୁମାର ତାଙ୍କ ବୃଦ୍ଧ ପିତା ମାତାଙ୍କୁ ବସାଇଥିଲେ। ଅନ୍ୟ ଏକ ଶଗଡ଼ରେ ଗୋପୀମାନେ କଳସ କାଖେଇ ନୃତ୍ୟ କରୁଥିଲେ। ଅନ୍ୟ ଏକ ଶଗଡ଼ ଗାଡିରେ ମାଙ୍କଡ଼ ନୃତ୍ୟ କରୁଥିଲା। ଅନ୍ୟ ଏକ ଶଗଡ଼ ଗାଡିରେ ସଖିମାନେ ନୃତ୍ୟ କରୁଥିଲେ। ଅନ୍ୟ ଏକ ଶଗଡ଼ ଗାଡିରେ ସାଧୁସନ୍ଥମାନେ ବସି ଲୋକଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିଲେ। ଅନ୍ୟ ଏକ ଶଗଡ଼ରେ ପୌରାଣିକ କଥାବସ୍ତୁ ଉପରେ ନୃତ୍ୟନାଟିକା ଚାଲିଥିଲା। ଏହା ଦର୍ଶକମାନଙ୍କ ମୁଖ୍ୟ ଆକର୍ଷଣ ଥିଲା। ବିସର୍ଜନ ବେଳେ ଶାନ୍ତି ଶୃଙ୍ଖଳାରକ୍ଷା କରିବା ପାଇଁ ପୁଲିସ ବଳ ମୁତୟନ ହୋଇଥିଲା। ଫଳରେ ଶାନ୍ତି ଶୃଙ୍ଖଳାର ସହ ପ୍ରଭୁ କାର୍ତ୍ତିକେଶ୍ବରଙ୍କ ବିସର୍ଜନ ସମାପନ ହୋଇଥିଲା।
