ଅନୁଗୋଳ: ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଓସଓ୍ବାନ ହଲ ଠାରେ ଦ୍ଭିଡିଓ କନଫରେନ୍ସ ମାଧ୍ୟମରେ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କାର୍ଯ୍ୟସ୍ଥଳ ଏବଂ ଅନୁଷ୍ଠାନରେ ମହିଳାମାନଙ୍କ ପାଇଁ ଯେପରି ସୂରକ୍ଷିତ ବାତାବରଣ ରହିବ ସେଥିପାଇଁ ଗୁରୁତ୍ବ ଦିଆଯାଇଥିଲା ।

କାର୍ଯ୍ୟ ସ୍ଥଳରେ ଯୌନ ନିର୍ଯ୍ୟାତନା ନିବାରଣ ଆଇନକୁ କଡା କଡି ଭାବେ ପାଳନ କରିବାକୁ ସରକାରଙ୍କ ଦିଆଯାଇଥିବା ନିର୍ଦ୍ଦେଶନାମା ଉପରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଓ ବିଭାଗୀୟ କାର୍ଯ୍ୟାଳୟ ଗୁଡିକରେ ଅନ୍ତରୀଣ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କୌଣସି ସଂସ୍ଥାରେ ଅତି କମ୍ରେ ୧୦ ଜଣ ନିୟୋଜିତ ଥିଲେ ଏକ ଅନ୍ତରୀଣ କମିଟି ଗଠନ କରିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ସଚେତନତା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ ।
