• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

Bymamatanews

Nov 20, 2024
Spread the love

ଢେଙ୍କାନାଳ (୨୦.୧୧.୨୦୨୪) : ଢେଙ୍କାନାଳ ଜିଲ୍ଲାରେ ଖରିଫ‌ ୨୦୨୪ -୨୫ ବର୍ଷ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି l ଜାନୁଆରୀ ୮, ୨୦୨୫ ତାରିଖରୁ ପର୍ଯ୍ୟାୟକ୍ରମେ ୫୪୬୫୮ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ୮୮ ଗୋଟି ମଣ୍ଡି ମାଧ୍ୟମରେ ୧୩୯୫୩୦୮ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ସହ ଗତଥର ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାର ପୁନରାବୃତ୍ତି ନଘଟିବା ,ଚାଷୀମାନେ ଯେପରି କଟଣି ଛଟଣୀର ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମାନ୍ୟଵର ବିଧାୟକ ପରଜଙ୍ଗ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ,ମଣ୍ଡିରେ ବିଜୁଳି, ଭିତ୍ତିଭୂମି,ଆଶ୍ରୟ ସ୍ଥଳ,ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା କୌଣସି ଅସୁବିଧାରେ ସମ୍ପନ୍ନ କରିବାକୁ ଆହ୍ୱାନ ଦେଇଥିଲେ ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି।
ଏହାବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ ।
ପ୍ରତ୍ୟେକ ଧାନ ମଣ୍ଡିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ । ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ସଂଗୃହୀତ ଧାନର ମାନ ନିରୀକ୍ଷଣ କରିବା ପାଇଁ ଯନ୍ତ୍ରର ବ୍ୟବହାର କରାଯିବ (GRAIN Analyser) ଏବଂ ସମସ୍ତ ମଣ୍ଡି ମାନଙ୍କରେ  ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ଲଗାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ବସନ୍ତ ପଣ୍ଡା ସୂଚନା ଦେଇଥିଲେ । ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟାରେ ହସ୍ତକ୍ଷେପ ନକରନ୍ତି ଏଥିପ୍ରତି ଧ୍ୟାନ ଦେବାକୁ ମାନ୍ୟବର ବିଧାୟକ କାମାକ୍ଷାନଗର ଶ୍ରୀ ଶତ୍ରୁଘ୍ନ ଜେନା ପରାମର୍ଶ ଦେଇଥିଲେ l ଏହା ସହ ସେ କହିଥିଲେ ମଣ୍ଡିରେ ସଂଗ୍ରହ ହେବାକୁ ଥିବା ଧାନକୁ ସୁରକ୍ଷିତ ଭାବେ ରଖିବାକୁ ଆବଶ୍ୟକୀୟ ପଲିଥିନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସିର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବା ସହ ଧାନର ଏଫଏକ୍ୟୁ ମାନ ବିଷୟରେ ଚାଷୀଙ୍କୁ ପୂର୍ବରୁ ସଚେତନ କରିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା
ଏହିବର୍ଷ ନୂତନ ଭାବେ ମଣ୍ଡି ମାନଙ୍କରେ ନୋଡାଲ ଅଧିକାରୀ, ସୁପରଭାଇଜ଼ର ମାନେ ରହିବେ l ଯାହାଫଳରେ ଚାଷୀ ମାନେ ସେମାନଙ୍କ ଅସୁବିଧା ସିଧାସଳଖ ସେମାନଙ୍କୁ ଜଣାଇପାରିବେ l ଏହା ସହିତ ଏ ସମ୍ବଦ୍ଧିୟ ସୂଚନା ପାଇଁ ହେଲ୍ପ ଲାଇନ – ୧୯୬୭ ଜାରି କରାଯାଇଛି l

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଉପଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଡ଼ିଆରସିଏସ ଶ୍ରୀମତି ସରୋଜିନୀ ଜେନା ,ମିଲର, କୃଷକ ପ୍ରତିନିଧି ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *