ଓଡିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏକ ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ରାଜସ୍ବ ବିଭାଗର ବିଭିନ୍ନ ବିଷୟରେ ସମାକ୍ଷା କରିଥିଲେ ।

ବୈଠକରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ସ୍ବାଗତ ଭାଷଣ ଦେବା ସହ ଉପସ୍ଥିତ ଅଧିକାରୀମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ପାଓ୍ବାର ପଏଣ୍ଟ ମାଧ୍ୟମରେ ଜିଲ୍ଲା ସ୍ତରୀୟ ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ ଭୂମିହୀନଙ୍କ ନିମନ୍ତେ ଉଦ୍ଦିଷ୍ଟ ବସୁନ୍ଧରା ଯୋଜନା, ଜଙ୍ଗଲ ଜମି ପଟ୍ଟା ଯୋଜନା, ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ବିଦ୍ୟାଳୟଗୁଡିକୁ ଜମି ଆବଣ୍ଟନ, ବିଭିନ୍ନ ରାଜସ୍ବ ସେବା ଯଥା – ଜାତି, ଆବାସିକ, ଆୟ, ଊତ୍ତରାଧିକାରୀ ପ୍ରମାଣ ପତ୍ର ଏବଂ ଜମି ଜମା ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଫୁଖାନୁଫୁଖ ଭାବେ ସମୀକ୍ଷା କରିଥିଲେ ।

ଏହି ଅବସରରେ ସେ ପ୍ରକୃତ ଭୂମାହୀନମାନଙ୍କୁ ଚିହ୍ନଟ କରି ଜମି ପଟ୍ଟା ପ୍ରଦାନ କରିବା ସହ ସରକାରୀ ଜମିର ଜବର ଦଖଲକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସେ ଜିଲ୍ଲାରେ ଥିବା ରେଳ ପ୍ରକଳ୍ପ ଯଥା – ତାଳଚେର- ବିମଳାଗଡ, ବୁଢ଼ାପଙ୍କ -କରପଡା, ତାଳଚେର -ଅନୁଗୋଳ ନୂତନ ରେଳ ଲାଇନ୍ ଇତ୍ୟାଦିର ଜମି ଅଧୂଗ୍ରହଣ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଚଳିତ ମାସ ୨୭ ତାରିଖରୁ ଜିଲ୍ଲାରେ ଆରମ୍ଭ ହେଉଥିବା ଖରିଫ ଧାନ କ୍ରୟ ପ୍ରକ୍ରିୟାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
