
ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଚଳିତ ବର୍ଷ ନାମଲେଖା ହେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଲେ ସୂଚନା
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ପବିତ୍ର ମୋହନ ପ୍ରଧାନ ଟିଚିଂ ହସ୍ପିଟାଲ ପରିଦର୍ଶନ କରିବା ସହ ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ କରିଛନ୍ତି ।ଚଳିତ ଶିକ୍ଷାବର୍ଷ ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜରେ ୧୦୦ ଏମବିବିଏସ ସିଟରେ ନାମଲେଖା ହେବାର ଆଶା ରହିଛି ।ଦୀର୍ଘବର୍ଷର ଦାବି ଆନ୍ଦୋଳନ ପରେ ତାଳଚେରରେ ମେଡିକାଲ କଲେଜ ସ୍ୱପ୍ନ ପୂରଣ ହେବାକୁ ଯାଉଥିବା ବେଳେ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ମେଡ଼ିକାଲ କଲେଜ ପାଇଁ ୧୬୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।
ଓଡ଼ିଶା ସରକାରଙ୍କ ତତ୍ପରତା ସ୍ୱରୂପ – ଓଡ଼ିଶା ୟୁନିଭରସିଟି ଅଫ୍ ହେଲଥ୍ ସାଇନ୍ସ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟରେ ପାଠପଢ଼ା ଆରମ୍ଭ କରିବା ପାଇଁ ମଞ୍ଜୁର ଦେଇଛନ୍ତି। ଡିନ୍, ପ୍ରିନ୍ସପାଲ, ସୁପରିନଟେଣ୍ଡେଣ୍ଟ୍ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବାବେଳେ, ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ସହ ଅନ୍ୟାନ୍ୟ ପଦପଦବୀ ଓ ଆନୁଷଙ୍ଗିକ କାମ ପୂରଣ ହୋଇଛି । ଏହି ମେଡିକାଲ ପାଇଁ ଜାତୀୟ ମେଡିକାଲ ପରିଷଦର ଆନୁଷ୍ଠାଠିକ ଯାଞ୍ଚ ପ୍ରକ୍ରିୟା ଚାଲୁରହିଥିବା ବେଳେ ଖୁବ ଶୀଘ୍ର କମିଟିର ସଦସ୍ୟ ଆସି ମେଡିକାଲ କଲେଜ ପରିଦର୍ଶନ କରିବାର ରହିଛି କାର୍ଯ୍ୟକ୍ରମ ।ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ ଟିଚିଂ ହସ୍ପିଟାଲ ପରିଦର୍ଶନ କରିବା ସମୟରେ ଡିନ କୀର୍ତ୍ତିରେଖା ମହାପାତ୍ର, ଅନୁଗୋଳ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।ଚଳିତ ଶିକ୍ଷାବର୍ଷରେ ନାମଲେଖା ନେଇ ମନ୍ତ୍ରୀ ଆଶାବାଦୀ ଥିବାବେଳେ ସମସ୍ତ କାର୍ଯ୍ୟ ଠିକ ରୂପେ ଚାଲିଥିବା ନେଇ ଜିଲ୍ଲାପାଳଙ୍କ ସହ କଲେଜ ଡିନ ସୂଚନା ଦେଇଥିଲେ ।

