ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ଆଇନଶୃଙ୍ଖଳା ପରିଚାଳନା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ଆଇନଶୃଙ୍ଖଳା ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ । ବ୍ରୋକେନ ୱିଣ୍ଡୋ ସିଦ୍ଧାନ୍ତ ସମ୍ପର୍କରେ ଆଲୋକପାତ କରି ଜିଲ୍ଲାପାଳ କହିଥିଲେ, ଯେପରି କୌଣସି ବ୍ୟକ୍ତି ପ୍ରଥମେ କାହାର ଘରର କାଚ ଝରକାକୁ ଟେକା ମାରି ଭାଙ୍ଗିବାକୁ ସାହସ କଲେ ଯଦି ଆମେ ତାକୁ ନଅଟକାଇବା ତେବେ ପରବର୍ତ୍ତୀ ସମୟରେ ସେ ଘରଟିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେବ। ସମାନ ସ୍ଥିତିରେ ଯଦି ଆମେ କୌଣସି ଏକ ଅପରାଧିକୁ ଛୋଟ ଅପରାଧ କରିବାପାଇଁ ନଅଟକାଇବା ତେବେ ଆଗାମୀ ଦିନରେ ସେ ବଡ ଅପରାଧ ଘଟାଇବାକୁ ସାହସ ପାଇବ । ଆଇନଶୃଙ୍ଖଳା ପରିଚାଳନାରେ ପୁଲିସର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ ପ୍ରଶାସନର ଭୂମିକା ମଧ୍ୟ ସମପରିମାଣରେ ଗୁରୁତ୍ବପୂର୍ଣ୍ଣ। ଉଭୟ ମିଳିତ ଭାବେ କାର୍ଯ୍ୟକଲେ ଆଇନଶୃଙ୍ଖଳା ପରିଚାଳନା ଶୃଙ୍ଖଳିତ ଓ ବ୍ୟବସ୍ଥିତ ହୋଇପାରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ବୈଠକରେ ପ୍ରକାଶ କରିଥିଲେ । ସମସ୍ୟାକୁ ଶୁଣିବା ସହ ସହଯୋଗ ଯୋଗାଇଦେଲେ ପୁଲିସ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ । ଲୋକଙ୍କ ସହଯୋଗ ମିଳିଲେ ଅପରାଧକୁ ନିୟନ୍ତ୍ରଣ କରିବା ସହଜ ହେବ । କୌଣସି ଅପରାଧ ପୂର୍ବରୁ ପୁଲିସ ଆଗୁଆ ସତର୍କତାର ସହ କାମ କଲେ ତାହାକୁ ଏଡାଇ ଦିଆଯାଇପାରିବ। ବର୍ତ୍ତମାନ ପରିସ୍ଥିତିରେ ଯୁବ ସମାଜରେ ଘଟୁଥିବା ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣକୁ ଆଣିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦିପ୍ତିରଞ୍ଜନ ସେଠୀ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଦିନମଣୀ ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଏସଡିପିଓ ଓ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ।
