ଜଣେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ସହର ଉପରେ, ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। ସୂଚନା ଯେ, ଅନୁଗୋଳ ସାଇବର ଥାନା ଅଧିକାରୀ ଇନ୍ସ୍ପେକ୍ଟର ଖଲେଶ୍ବର ସେଠୀ ଗତ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଥାନା କାମ ସାରି ଫେରୁଥିଲେ । ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ଏକ ବସ୍ (ଓଡି-୦୫-ଏବି-୧୭୬୫) ତାଙ୍କ ଉପରକୁ ମାଡ଼ି ଆସିଥିଲା।

ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଡ୍ରାଇଭର୍ ଉଦ୍ୟମ କରିଥିଲା ବେଳେ ପୋଲିସ ଅଧିକାରୀ ଜଣଙ୍କ ରାସ୍ତାକଡ଼କୁ ଚାଲିଯିବାରୁ ଅଳ୍ପକେ ବର୍ଷି ଯାଇଥିଲେ । ଏହା ପରେ ଡ୍ରାଇଭର୍ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗାଡ଼ିରୁ ଓହ୍ଲାଇ ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିଲେ । ପରେ ଥାନା ଅଧିକାରୀ ଶ୍ରୀ ସେଠୀ ଅନୁଗୋଳ ଥାନାକୁ ଏ ସଂପର୍କରେ ଜଣାଇବାରୁ ଜଣେ ପୋଲିସ ଅଧିକାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ସେ ଗତକାଲି ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
