ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ ଅନୁଗୋଳ ଜିଲ୍ଲା ପକ୍ଷରୁ ବିଭିନ୍ନ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ଶକ୍ତିମନ୍ତ୍ରୀଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟୁତ୍ ଯୋଗାଣ ଭଳି ଏକ ମୌଳିକ ଅତ୍ୟାବଶ୍ୟକ ସେବାକୁ ରାଜ୍ୟ ସରକାର ଘରୋଇକରଣ କରି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଶୋଷଣ କରିବା ପାଇଁ ଘରୋଇ କମ୍ପାନୀ ଟାଟା ପାୱାରକୁ ସାରା ରାଜ୍ୟର ବିଦ୍ୟୁତ୍ ବଣ୍ଟନ ଦାୟିତ୍ବ ଦିଆଯାଇଛି । ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର ପକ୍ଷରୁ ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଭାବରେ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଶୋଷଣ ପାଇଁ ପ୍ରି-ପେଡ୍ ସ୍ମାର୍ଟ ମିଟର ବସାଇବା କାମ ଆରମ୍ଭ ହୋଇଛି । ବିଦ୍ୟୁତ୍ ସେବାର ଘରୋଇକରଣ ସମୟରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ଉନ୍ନତ ମାନର ବିଦ୍ୟୁତ୍ ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ଦୀର୍ଘବର୍ଷ ପରେ ବି ଘନ ଘନ ବିଦ୍ୟୁତ୍ କାଟ୍, ଲୋ-ଭୋଲ୍ଟେଜ୍ ଓ ମନଇଚ୍ଛା ବିଦ୍ୟୁତ୍ ଶୁଳ୍କ ବୃଦ୍ଧିରେ ଜନସାଧାରଣ ଅତିଷ୍ଠ ହୋଇପଡୁଛନ୍ତି । ଏହିଭଳି ଏକ ପରିସ୍ଥିତିରେ ବିଦ୍ୟୁତ୍ ଉପଭୋକ୍ତା ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ନେଇ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ ଅନୁଗୋଳ ଜିଲ୍ଲା ପକ୍ଷରୁ ଦାବୀପତ୍ର ପ୍ରଦାନ କରିଛନ୍ତି।
