ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କରଡାଗାଡିଆ ଗ୍ରାମବାସୀ ମାନେ ଏବେଠାରୁ ପାଣି ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯାହାଦ୍ୱାରା ଆଜି ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ କରଡାଗାଡିଆ ୨ ନମ୍ବର ୱାର୍ଡ ରେ ପ୍ରାୟ ତିନିଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ଦୁଇ ବର୍ଷ ହେବ ପାଇପ ଯୋଗେ ପାନୀୟ ଜଳ ଆସିବାକୁ କାର୍ଯ୍ୟ ହୋଇଥିବା ବେଳେ ଏହା ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଏନେଇ ଗ୍ରାମର ଲୋକ ମାନେ ସ୍ଥାନୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାହା ଫଳରେ ଗ୍ରାମବାସୀ ମାନେ ଆଜି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅନୁଗୋଳ ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂରରେ ଏହି ଗ୍ରାମ ଥିବା ବେଳେ ଡେରେଜାଙ୍ଗ ଡ୍ୟାମ୍ ନିକଟରେ ଏହି ଗ୍ରାମ ଅବସ୍ଥିତ। ଯଦି ଏପରି ଗାଁରେ ଏବେଠାରୁ ପାଣି ସମସ୍ୟା ହେଲାଣି ଆଗକୁ ଖରାଦିନ ଆସିଲେ ଲୋକଙ୍କ ଅବସ୍ଥା କଣ ହେବ ତାହା ବେଶ୍ ଜଣା ପଡୁଛି। ଜିଲ୍ଲାରେ ଖଣି ଖାଦାନ ଏବଂ ବଡ ବଡ ଶିଳ୍ପକୁ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ଅନୁଗୋଳ ଜିଲ୍ଲାରେ ଏବେବି ବହୁତ ଗାଁ ରହିଛି ଯେଉଁଠାରେ କି ଲୋକ ମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଶେଷରେ ଗ୍ରାମବାସୀ ନିରୁପାୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।
