• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଲ୍ ବ୍ୟାଡମିଣ୍ଟନ୍ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଯାପିତ

Bymamatanews

Aug 25, 2025
Spread the love

ଜଗତ୍ସିଂହପୁର : ଜଗତସିଂହପୁର ଜିଲ୍ଲା ବଲ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ (ରୁରାଲ୍) ଆନୁକୁଲ୍ୟରେ ୨୯ ତମ ସବ୍ ଜୁନିଅର ଓ ୩୩ ତମ ସିନିୟର୍ ରାଜ୍ୟସ୍ତରୀୟ ବଲ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ମୁଦୁପୁର ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଗତ ୨୧ ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ରବିବାର ଅପରାହ୍ନରେ ଉଦଯାପିତ ହୋଇଥିଲା ।

ଉଦଯାପନୀ ସଭାରେ ଜଗତସିଂହପୁର ଜିଲ୍ଲା ବଲ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ (ରୁରାଲ୍) ର ସଭାପତି ଆଇନଜୀବି ନରେଶ ଦାସ ସଭାପତିତ୍ବ କରିଥିଲେ । ମୁଖ୍ୟଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଆଗାମୀ ଦିନରେ ମୁଦୁପୁର ପଡ଼ିଆରେ ଏକ ଉନ୍ନତମାନର କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ସହଯୋଗ ଯୋଗାଇ ଦେବେ ବୋଲି କହିବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ କ୍ରୀଡା ପ୍ରସଙ୍ଗରେ ଅନେକ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବଲ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ସଂପାଦକ ସୁକାନ୍ତ କୁମାର ଦାସ, ବଳରାମପୁର ସରପଞ୍ଚ ଅଞ୍ଚନ କୁମାର ସାମଲ, ନିରଞ୍ଜନ ପରିଡା, ନିରୂପମା ପାତ୍ର ଓ ସୁନୀତା ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ଉଭୟ ସବ୍ ଜୁନିଅର ଓ ସିନିୟର୍ ବର୍ଗର ବାଳକ ଓ ବାଳିକା ବିଭାଗରେ ୪୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସବ୍ ଜୁନିଅର ବାଳକ ବର୍ଗରେ ଢେଙ୍କାନାଳ ଚମ୍ପିୟାନ, ପୁରୀ ରନର୍ସ ଅପ୍ ହୋଇଥିବା ବେଳେ ବାଳିକା ବର୍ଗରେ ପୁରୀ ଚମ୍ପିୟାନ ଓ କଟକ ରନର୍ସ ଅପ୍ ହୋଇଥିଲା । ସେହିପରି ସିନିୟର୍ ବିଭାଗର ଉଭୟ ବାଳକ ଓ ବାଳିକା ବର୍ଗରେ ଝାରସୁଗୁଡ଼ା ଚମ୍ପିୟାନ ହୋଇଥିବା ବେଳେ ବାଳକ ବର୍ଗରେ ଖୋର୍ଦ୍ଧା ଓ ବାଳିକା ବର୍ଗରେ ଭୁବନେଶ୍ୱର ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଥିଲେ । ମୁଖ୍ୟ ଅତିଥି ବିଜେତା ଦଳ ମାନଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ପରିଶେଷରେ ଜଗତସିଂହପୁର ଜିଲ୍ଲା ବଲ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ (ରୁରାଲ୍) ର ସଂପାଦକ ଟୁନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *