• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାଲେଶ୍ୱର କ୍ଷତିଗ୍ରସ୍ତ ମାନଙ୍କୁ ସହାୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା

Bymamatanews

Sep 25, 2024
Spread the love

ବାଲେଶ୍ୱର ଜିଲ୍ଲାରେ ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ମାସ ୧୮ ତାରିଖରେ ବାଲେଶ୍ୱର ଗସ୍ତ କରି କ୍ଷତିଗ୍ରସ୍ତ ମାନଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ବର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ପାଇଁ ସହାୟତା ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ତୁରନ୍ତ ମରାମତି ନିମନ୍ତେ ୧ ଲକ୍ଷ ୨୦ ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ବାସଗୃହର ମରାମତି ନିମନ୍ତେ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦ ଟଙ୍କା ଓ ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।

ପରିବାରଙ୍କର ବାସଗୃହ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲେ କିମ୍ବା ଦୁଇ ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦ ଟଙ୍କା ଓ ବାସନ କୁସନ ପାଇଁ ୨୫୦୦ ଟଙ୍କା ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ।

କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ଫସଲ/ଉଦ୍ୟାନ କୃଷି କ୍ଷୟକ୍ଷତିର ଭରଣା ନିମନ୍ତେ ଅଣ ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା ଓ ସମସ୍ତ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ଆର୍ଥିକ ସହାୟତାରାଶି ପ୍ରଦାନ କରାଯିବ। ଏହି ସହାୟତା ସର୍ବାଧିକ ୨ ହେକ୍ଟର ପାଇଁ ଯୋଗାଇ ଦିଆଯିବ।

ସେହିଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାଲିଚର ସହାୟତା (ଯଦି ୩ ଇଞ୍ଚରୁ ଉର୍ଦ୍ଧ ବାଲିଚର ହୋଇଥାଏ) ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ମାଛଚାଷ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ଚାଷ ଜମିର ଅନେକାଂଶ ଭୂସ୍ଖଳନ ଯୋଗୁଁ, ନଦୀର ଗତିପଥ ପରିବର୍ତ୍ତନ ଯୋଗୁଁ କ୍ଷୟ ହୋଇଥିଲେ ହେକ୍ଟର ପିଛା ୪୭,୦୦୦ ଟଙ୍କା ଏଥିପାଇଁ ଚାଷୀ ପିଛା ସର୍ବନିମ୍ନ ୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ।

ମତ୍ସ୍ୟଜୀବି ମାନଙ୍କ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬,୦୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩୦୦୦ ଟଙ୍କା, ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫,୦୦୦ ଟଙ୍କା, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪,୦୦୦ ଟଙ୍କା ଓ ମତ୍ସ୍ୟ ଯାଆଁଳ ଚାଷ କ୍ଷତି ପାଇଁ ହେକ୍ଟର ପିଛା: ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।

ମୃତ ଗୃହପାଳିତ ପଶୁମାନଙ୍କ ପାଇଁ ଦୁଧିଆଳୀ ପଶୁ ଯଥା ମଇଁଷି, ଗାଈ ପିଛା ୩୭,୫୦୦ ଟଙ୍କା, ଛେଳି ବା ମେଣ୍ଢା ପିଛା ୪୦୦୦ ଟଙ୍କା, ଭାରବାହୀ ପଶୁ ଯଥା ବଳଦ, ମଇଁଷି, ଘୋଡ଼ା ପିଛା ୩୨,୦୦୦ ଟଙ୍କା, ବାଛୁରୀ, ଗଧ ଏବଂ ଖଚର ପିଛା ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଏହି ସହାୟତା ରାଶି ଗୋଟିଏ ପରିବାରର ୩ଟି ବଡ଼ ଦୁଗ୍ଧ ପ୍ରଦାନକାରୀ ପଶୁ ବା ୩୦ଟି ଛୋଟ ଦୁଗ୍ଧ ପ୍ରଦାନକାରୀ ପଶୁ କିମ୍ବା ୩ଟି ବୃହତ ଭାରବାହୀ ପଶୁ ବା ୬ଟି ଛୋଟ ଭାରବାହୀ ପଶୁଙ୍କ ପର୍ଯ୍ୟନ୍ତ ସିମିତ ରହିବ।

ହସ୍ତଶିଳ୍ପ, ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ବା ପ୍ରତିସ୍ଥାପନ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା ଓ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସର୍ବସାଧାରଣ ସମ୍ପତ୍ତି ଯଥା-ରାସ୍ତାଘାଟ, ପୋଲ, ବିଦ୍ୟାଳୟ, ପ୍ରାଥମିକ/ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୧୧ କେଭି ଏଲଟି ଲାଇନ୍‌, ପାନୀୟଜଳ ଯୋଗାଣ ବ୍ୟବସ୍ଥା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମହିଳା ମଣ୍ଡଳ, ଯୁବ କେନ୍ଦ୍ର, ପଞ୍ଚାୟତ ଘର ଓ ଅଙ୍ଗନବାଡି ଗୃହ ଆଦିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ସଂପୃକ୍ତ ବିଭାଗମାନଙ୍କଠାରୁ ସବିଶେଷ କ୍ଷୟକ୍ଷତିର ତଥ୍ୟ ହସ୍ତଗତ ହେଲାପରେ ଆର୍ଥିକ ସହାୟତା ଉକ୍ତ ବିଭାଗମାନଙ୍କୁ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *