ଆସୁଛି ବାତ୍ୟା ଦାନା । ଯାହାକୁ ମୁକାବିଲା କରିବା ନେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଏହାର ପ୍ରଭାବ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଉପରେ ପଡିଛି । ଗତ ୧୬ ତାରିଖ ରୁ ଅନୁଗୋଳ ଜିଲ୍ଲାରେ ବହୁ ଜାକଜମକରେ ପାଳନ ହେଉଛି ଲକ୍ଷ୍ମୀ ପୂଜା । ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ମଣ୍ଡପରେ ମାଆଙ୍କର ପୂଜା ହେଉଥିବା ବେଳେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି ହୋଇଛି ସୁଉଚ୍ଚ ତୋରଣ । ଗତକାଲି ଯାଏ ପୂଜା ଦେଖିବାକୁ ବେଶ ଭିଡ଼ ମଧ୍ୟ ଜମୁଥିଲା । ତେବେ ବାତ୍ୟା ଦାନା ଏଥିରେ ସାଜିଛି ବାଧକ । ବାତ୍ୟାକୁ ଆଖି ଆଗରେ ପ୍ରଶାସନ ସବୁ ପୂଜା ମଣ୍ଡପକୁ ତୋରଣ ଖୋଲିବାକୁ ନିର୍ଦେଶ ଦେଇଛି । ବାତ୍ୟାର ପ୍ରଭାବରେ ତୋରଣ ଭାଙ୍ଗିପଡି କ୍ଷୟକ୍ଷତି ହେବାର ଆଶଙ୍କା ଥିବାରୁ ଏଭଳି ନିର୍ଦେଶ ଦିଆ ଯାଇଛି । ଯାହା ଫଳରେ ପୂଜା କମିଟି ଏବେଠାରୁ ତୋରଣ , ଲାଇଟ ଗେଟ ଆଦି ଖୋଲିବା ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ ଦାନା ପାଇଁ ଜିଲ୍ଲା ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଅନୁଗୋଳ ଜିଲ୍ଲାର ଦୁଇଟି ଟିମକୁ ଢେଙ୍କାନାଳ ପଠା ଯାଇଛି । ଏହା ସହ ଲାଇଟ , କଟର, ଦମକଳ ଗାଡ଼ି , ବୋଟ ଆଦି ପ୍ରସ୍ତୁତ ହୋଇ ରହିଛି ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ।
