
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ପାଇଁ ବାତ୍ୟା ମୁକାବିଲାରେ ସଫଳ ହୋଇପାରିଛୁ। କର୍ମଚାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ କଠିନ ପରିଶ୍ରମ ଯୋଗୁଁ ବାତ୍ୟା ମୁକାବିଲା କାର୍ଯ୍ୟ ସଫଳ ହୋଇଛି। ଆଉ ୨୪ ରୁ ୪୮ ଘଣ୍ଟା ପରିଶ୍ରମ କଲେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ସଫଳ ହେବ।

ଗତକାଲି ସନ୍ଧ୍ୟା ସୁଦ୍ଧା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରାୟ ୮ ଲକ୍ଷ ଲୋକ ଆସି ସୁରକ୍ଷିତ ଭାବରେ ରହିଥିଲେ। ପୁନରୁଦ୍ଧାର କାର୍ଯ୍ୟ ନେଇ ସେ କହିଛନ୍ତି ଯେ ସବୁ ପ୍ରମୁଖ ରାସ୍ତାଗୁଡ଼ିକରୁ ଅବରୋଧ ହଟାଯାଇ ଗମନାଗମନ ଉପଯୋଗୀ କରାଯାଇଛି। ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପ୍ରକ୍ରିୟା ଜାରି ରହିଛି। ସମୁଦାୟ ୨୨.୪୩ ଲକ୍ଷ ଘରେ ବିଜୁଳି ବାଧାପ୍ରାପାପ୍ତ ହୋଇଥିଲା। ତନ୍ମଧ୍ୟରୁ ୧୪.୮୦ ଲକ୍ଷ ଘରକୁ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ବିଜୁଳି ଯୋଗାଣ କରାଯାଇସାରିଛି।

ବର୍ତ୍ତମାନ ମଧ୍ୟ ବିଦ୍ୟୁତ୍ ବ୍ୟବସ୍ଥା ପୁନକ୍ଷମ କାର୍ଯ୍ୟ ଚାଲୁରହିଛି। ଶକ୍ତି ବିଭାଗ ପ୍ରମୁଖ ସଚିବ କେନ୍ଦ୍ରାପଡ଼ା ଓ ଭଦ୍ରକରେ ଉପସ୍ଥିତ ରହି ପୁନରୁଦ୍ଧାର କାମ ତଦାରଖ କରି ପ୍ରକ୍ରିୟା ତ୍ୱରାନ୍ୱିତ କରୁଛନ୍ତି। ଆସନ୍ତା କାଲି ଅପରାହ୍ନ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ସେ କହିଛନ୍ତି। କୃଷି କ୍ଷେତ୍ରରେ ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ ୧.୭୫ ଲକ୍ଷ ଏକର ଚାଷ ଜମିରେ ଫସଲ କ୍ଷୟକ୍ଷତି ହୋଇଛି। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ମଧ୍ୟ ଦିଆଯିବ। ଘରଭଙ୍ଗା ରିପୋର୍ଟ ମଧ୍ୟ ଖୁବ୍ ଶୀଘ୍ର ଆସିଯିବ। ଫସଲ କ୍ଷତି ଏବଂ ଘରଭଙ୍ଗା ପାଇଁ ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। #CycloneDana
ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମଗୁଡ଼ିକ ଠିକ୍ ଚାଲିଛି। ସବୁ ଆଶ୍ରୟସ୍ଥଳରେ ମେଡିକାଲ୍ ଟିମ୍ ଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଯେଉଁ ଜାଗାରେ ପାଣି ଜମି ରହିଛି, ଲୋକଙ୍କ ଘର ଭାଙ୍ଗିଛି, ସେଠାରେ ଲୋକମାନେ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଆଶ୍ରୟସ୍ଥଳରେ ରହିପାରିବେ। ଆବଶ୍ୟକତା ଅନୁଯାୟୀ ଆଶ୍ରୟସ୍ଥଳୀଗୁଡ଼ିକରେ ସାତ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି। ପୋଲିସ୍ ଫୋର୍ସ ମଧ୍ୟ ସବୁ ଜାଗାରେ ମୁତୟନ ଅଛନ୍ତି। ସମୁଦାୟ ୧୫୮ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଅଛନ୍ତି। ଲୋକଙ୍କୁ ନେବା ଆଣିବାରେ ପୋଲିସ୍ ସହାୟତା ଯୋଗାଇ ଦେଉଛି। ଆଶ୍ରୟସ୍ଥଳୀଗୁଡ଼ିକୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି
