ଅନୁଗୋଳ (୨୫/୧୧/୨୦୨୪) : ନାଲକୋନଗର ମନ୍ଦିର କମିଟି ପକ୍ଷରୁ ଆସନ୍ତା ବର୍ଷ ଷଷ୍ଠଥର ପାଇଁ ମନ୍ଦିର ପ୍ରାଙ୍ଗଣରେ ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଜାନୁଆରୀ ମାସ ୧୬ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ନାଲକୋନଗର ମନ୍ଦିର କମିଟି ଓ ସେବାୟତ ମାନଙ୍କ ସହଯୋଗରେ ଏଭଳି ସାମୁହିକ ବ୍ରତ କାର୍ଯ୍ୟକ୍ରମ ଆୟୋଜନ ହାତକୁ ନିଆଯାଇଛି। ପୂର୍ବବର୍ଷ ଭଳି ବିଭିନ୍ନ ଅଞ୍ଚଳର ଗରିବ ବିପିଏଲ ହିତାଧିକାରୀ ବ୍ରାହ୍ମଣ ପିଲାଙ୍କର ବ୍ରତୋପନୟନ ବିନାଖର୍ଚ୍ଚରେ କରାଯିବାର ବ୍ୟବସ୍ଥା କରାଯିବ । ଅନାଥ, ଦିବ୍ୟାଙ୍ଗ ଓ ଦୁରାରୋଗ୍ୟ ପୀଡ଼ିତ ପରିବାରର ପିଲାଙ୍କୁ ଅଗ୍ରାଧିକାର ଦିଆଯିବ । ବ୍ରତର ସମସ୍ତ ଖର୍ଚ୍ଚ ନାଲକୋନଗର ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଯୋଗାଇ ଦିଆଯିବ । ଆସନ୍ତା ଡିସେମ୍ବର ମାସ ୧୬ତାରିଖ ମଧ୍ୟରେ ନାଲକୋନଗର ଶ୍ରୀଜଗନ୍ନାଥ ମନ୍ଦିର ଅଫିସରେ ନାମ ପଞ୍ଜିକରଣ କରିବା ପାଇଁ ମନ୍ଦିର ପ୍ରଶାସନ ନିବେଦନ କରିଛନ୍ତି । ଆଜିର ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମଟି ମନ୍ଦିର କମିଟିର ଉପସଭାପତି ଶ୍ରୀ ସତ୍ୟବାଦୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମନ୍ଦିର କମିଟି ସଦସ୍ୟ ନିର୍ମଳ ଚନ୍ଦ୍ର ବାରିକ୍, ସଞ୍ଜୟ କୁମାର ପ୍ରଧାନ, ପ୍ରଦୀପ୍ତ କୁମାର ପଣ୍ଡା, ଆଦିତ୍ୟ କୁମାର ସାମଲ, ଡ. ରାଧାମାଧବ ଦାଶ ଓ ରଞ୍ଜିତ କୁମାର ପାତ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତି ଥିଲେ ।
