ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟର ବୁଢ଼ାପଙ୍କ ପଞ୍ଚାୟତର ବୃନ୍ଦାବନପୂର ଗ୍ରାମରେ ଗୃହ ନିର୍ମାଣ ବେଳେ ରାଜମିସ୍ତ୍ରୀ ଙ୍କଠାରୁ ଦାଦାବଟି ଆଦାୟକୁ ନେଇ ଆକ୍ରମଣ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁଯାୟୀ ଭୀମସେନ କଲୋନିରେ ବସବାସ ନିମନ୍ତେ ବଂଶୀଧର ବେହେରା ଘର ନିର୍ମାଣ କରୁଥିଲେ | ବୁଢ଼ାପଙ୍କ ଗ୍ରାମର ଲିପୁ ପ୍ରଧାନ ଓ ଜଣେ ସହଯୋଗୀ ନାବାଳକ କିଛିଦିନ ମିସ୍ତ୍ରୀ ମାନଙ୍କୁ ଦାଦାବଟି ପାଇଁ ଧମକ ଦେଇ ୧,୫୦୦
ଟଙ୍କା ନେଇ ଯାଇଥିଲେ। ପରଦିନ ପୁଣି ଥରେ ଆସି ରାଜମିସ୍ତ୍ରୀ ମାନଙ୍କୁ ଧମକ ଦେଇ ଆକ୍ରମଣ କରିଥିଲେ।ଆକ୍ରମଣ ସମୟରେ ସୁନୀଲ ଅମାନ୍ତ ଓ ଶ୍ରୀତମ ଅମାନ୍ତଙ୍କୁ ଧକ୍କା ଦେଇଥିଲେ। ରାଜମିସ୍ତ୍ରୀ ଦ୍ଵୟ ଛାତରୁ ତଳକୁ ଖସି ପଡ଼ିଥିଲେ। ସୁନୀଲଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଅନ୍ୟ ଜଣଙ୍କ ପାଦରେ ତଳେ ପଡ଼ିଥିବା ଲୁହାରଡ଼ ପଶି ଯାଇଥିଲା। ଘର ମାଲିକ ବଂଶୀଧର ଜାଣିବା ପରେ ଆହତ ମାନଙ୍କୁ ନିକଟ ଚିକିତ୍ସାଳୟରେ ଭର୍ତି କରିଥିଲେ। ରାଜମିସ୍ତ୍ରୀଙ୍କୁ ଆକ୍ରମଣ ନେଇ ଘର ମାଲିକ ଥାନାରେ ଏତଲା ଦେଇଥିଲେ। ଘଟଣାର ପ୍ରାୟ ୧୩ ଦିନପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା | ପୁଲିସ ଏକ ମାମଲା ରୁଜୁ କରି ଲିପୁଙ୍କୁ କୋର୍ଟଚାଲାଣ କରିଥିଲା। ଅନ୍ୟ ଅଭିଯୁକ୍ତ ନାବାଳକକୁ ଜାଭେନାଇଲ୍ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କଠାରୁ ପୁଲିସ ଚୋରି ସାମଗ୍ରୀ ଉଦ୍ଧାର କରିଛି।
