ଦୁଇ ମୃତ, ୪୦ ରୁ ଅଧିକ ଆହତ
ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍ନ ସରକାରୀ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରିପଦାରୁ ପାଲଲହଡ଼ା ହୋଇ ଅନୁଗୋଳ ଆସୁଥିବା ବେଳେ ଗହମ ନିକଟରେ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ବସ୍ର ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୩ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ସହାୟତାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିଲା । ଡାକ୍ତରଖାନାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ହେଲେ ଝାଡ଼ଖଣ୍ଡର ରାଧା ମୁଣ୍ଡା ଓ ମୟୁରଭଞ୍ଜର ସମୀର ମହନ୍ତ ବୋଲି ଜଣା ପଡିଛି । ୧୩ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରା ଯାଉଛି । ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଅବଦଲ ଏମ ଅଖତର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଁଚି ଆହତଙ୍କ ଅବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାନ୍ୟ ଆହତଙ୍କୁ ୫ ହଜାର ଓ ଗୁରୁତର ମାନଙ୍କୁ ୧୦ ରୁ ୨୦ ହଜାର ସହାୟତା ରାଶି ଏବଂ ସରକାରଙ୍କ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
