ମାରଣାସ୍ତ୍ର ଦେଖାଇ ମୃତ୍ୟୁ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଲୁଟିଲେ ଡକାୟତ
ଏମିତି ଏକ ଘଟଣା ଘଟିଛି ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁଙ୍କ ପରିବାର ଉପରେ । ଗତକାଲି ସନ୍ଧ୍ୟାରେ ବିଜୟଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ରାତିରେ ଦୁର୍ବର୍ତ୍ତ ଘରେ ପଶି ଆତଙ୍କରାଜ ଚଳାଇବା ସହ ଲୁଟି ନେଇଥିଲେ ଟଙ୍କା ସୁନା । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁ । ଯେ କି ଚାଷବାସ କରି ଗୁଜୁରାଣ ମେଣ୍ଟାନ୍ତି । ଜଣେ ଭଲ ଚାଷୀ ହିସାବରେ ଅଞ୍ଚଳରେ ତାଙ୍କର ସୁନାମ ଥିବା ବେଳେ ଚାଷରୁ ରୋଜଗାର ଅର୍ଥରେ ହସଖୁସିରେ ତାଙ୍କ ପରିବାର ଚଳନ୍ତି । ସବୁଦିନ ଭଳି ଗତକାଲି ମଧ୍ୟ ବିଜୟ ଚାଷ ଜମିରୁ କଖାରୁ ଏକ ଟ୍ରାକ୍ଟରରେ ବୋଝେଇ କରି ହାଟ କୁ ବିକ୍ରି କରିବାକୁ ଆସିଥିଲେ । ବାଗଡ଼ିଆ ସାପ୍ତାହିକ ହାଟରେ ସମସ୍ତ କଖାରୁ ବିକ୍ରି କରି ନିଜେ ଟ୍ରାକ୍ଟର ଚଳାଇ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ଛେଣ୍ଡିପଦା ମେଡିକାଲ ନିଆ ଯାଇଥିଲା ହେଲେ ଶବ ବ୍ୟବଚ୍ଛେଦ ହୋଇ ପାରିନଥିଲା । ଡାକ୍ତରଖାନାରେ ମୃତଦେହ ରଖି ରାତି ପ୍ରାୟ ୧୦ ଟା ବେଳେ ପରିବାର ଲୋକ ଘରକୁ ଫେରିଥିଲେ । ତେବେ ଘରେ ସମସ୍ତେ ମର୍ମାହତ ହୋଇ କାନ୍ଦ କଟା କରୁଥିବା ବେଳେ ହଠାତ ଘରେ ୭ ରୁ ୮ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଧସେଇ ପଶିଥିଲେ । ପରିବାର ଲୋକଙ୍କ ଖଣ୍ଡା , ଭୁଜାଲି , ବନ୍ଧୁକ ଦେଖାଇ କିଛି ସମୟ ପାଇଁ ଚଳାଇଥିଲେ ଆତଙ୍କରାଜ । ଆଉ ସମସ୍ତଙ୍କୁ ଭୟଭୀତ କରି ଘର ଆଲମୀରାରୁ ପ୍ରାୟ ୧ ଲକ୍ଷ ୩୨ ହଜାର ଟଙ୍କା , ଘରୁ ଏବଂ ମହିଳା ମାନେ ପିନ୍ଧିଥିବା ମଙ୍ଗଳସୂତ୍ର , କାନ ଫୁଲ ଭଳି ୫ ଭରି ସୁନା ଓ ୭ ଟି ମୋବାଇଲ ଫୋନ ନେଇ ଚମ୍ପଟ ମାରିଥିଲେ । ଖବର ପାଇ ହଣ୍ଡପା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ବାଗଡିଆ ଥାନା ମଧ୍ୟ ସେଠାରେ ପାହଞ୍ଚିବା ସହ ସାଇଣ୍ଟିଫିକ ଟିମ ସହାୟତା ନେବା ସହ ସିସି ଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି
