• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଜ୍ୟସ୍ତରୀୟ ଚଷା ମହାସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ

Bymamatanews

Dec 28, 2025
Spread the love

ଚଷା ସମାଜକୁ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ ଆମେ ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ

ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ଚଷା ସମାଜର ବଡ଼ ଦାୟିତ୍ୱ ରହିବ
• ଓଡ଼ିଶାରେ ଚାଷ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ବୃହତ୍ତର ମଞ୍ଚରେ ପ୍ରତିଷ୍ଠିତ କରିବା ସହ ସାମ୍ବିଧାନିକ ଅଧିକାର ଓ ସାମାଜିକ ଦାୟିତ୍ୱ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଆମର ମୁଖ୍ୟ ଲକ୍ଷ୍ୟ
• ଏସଇବିସି ତାଲିକାରେ ସ୍ୱୀକୃତିପ୍ରାପ୍ତ ୧୦୮ଟି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଛି
• ମୋଦୀ ସରକାରରେ ନୂଆ ଭାବରେ ମେଡିକାଲର ୟୁଜି ପିଜି ସିଟ ଓ ପେଟ୍ରୋଲ ପମ୍ପ ଆବଣ୍ଟନରେ ସ୍ଥାନ ସଂରକ୍ଷଣ ମିଳୁଛି
• କୃଷିକୁ କେବଳ ପାରମ୍ପରିକ ପଦ୍ଧତିରେ ସୀମିତ ନ ରଖି ଏହାକୁ ରୋଜଗାରର ମୁଖ୍ୟ ଆଧାର କରିବା
• ଜୈବିକ ଓ ପ୍ରାକୃତିକ ଚାଷର ଚାହିଦା ବଢୁଥିବାରୁ ଓଡ଼ିଶାର ପନିପରିବା ଓ କୃଷିଜାତ ଦ୍ରବ୍ୟକୁ ବିଦେଶ ବଜାରକୁ ପଠାଇବା ପାଇଁ ଉନ୍ନତ ବ୍ୟବସ୍ଥା କରାଯିବ

ବାମୁର/ଅନୁଗୋଳ, ଡିସେମ୍ବର ୨୮ – ଚଷା ସମାଜକୁ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ ଆମ ସରକାର ବଦ୍ଧ ପରିକର ବୋଲି ଆଜି ଅନୁଗୋଳ ଜିଲ୍ଲା ବାମୁର ଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ ଚଷା ମହାସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ସମାଜର ସାମଗ୍ରିକ ବିକାଶ ପାଇଁ ଏହି ସମ୍ମିଳନୀରେ ଅନେକ ଗଠନମୂଳକ ପ୍ରସ୍ତାବ ଆସିବା ସହ ସାମ୍ବିଧାନିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର ଉପରେ ଗୁରୁତ୍ୱାରୋପ କରାଯାଇଛି, ଯାହା ଆଗାମୀ ଦିନରେ ଏକ ସକରାତ୍ମକ ପ୍ରଭାବ ପକାଇବ । ସେ କହିଛନ୍ତି ଓଡ଼ିଶାର ଚଷା ଜାତି କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ଥିଲା ବେଳେ ଚଷା ସମାଜର ଅନ୍ୟ ଜାତି/ଉପଜାତି/ବର୍ଗଙ୍କ ସମେତ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଏସଇବିସି ତାଲିକାରେ ସ୍ୱୀକୃତିପ୍ରାପ୍ତ ୧୦୮ଟି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ବୀରେନ୍ଦ୍ର କୁମାରଙ୍କୁ ପତ୍ର ଲେଖି ଅନୁରୋଧ କରିଛି । ଏହି ସମ୍ପ୍ରଦାୟର ଜାତି/ଉପଜାତି/ବର୍ଗର ଲୋକମାନଙ୍କୁ କେନ୍ଦ୍ରୀୟ ତାଲିକାରେ ଅନ୍ତର୍ଭୁକ୍ତ କରାଗଲେ ସେମାନଙ୍କୁ ସମାନ ଭାବେ ସର୍ବଭାରତୀୟ ସ୍ତରରେ ସ୍ଥାନ ସଂରକ୍ଷଣ ଓ କଲ୍ୟାଣକାରୀ ଯୋଜନାର ସୁବିଧା ମିଳିପାରିବ, ଯାହା ସେମାନଙ୍କର ଆର୍ଥିକ ଓ ଶିକ୍ଷାଗତ ଅଭିବୃଦ୍ଧିରେ ସହାୟକ ହେବ ।

ଅପରପକ୍ଷରେ ମୋଦୀ ସରକାରରେ ମେଡିକାଲ ୟୁଜି ପିଜି ସିଟରେ ଓବିସିଙ୍କୁ ସର୍ବଭାରତୀୟ କୋଟାରେ ୧୫ ପ୍ରତିଶତ ସଂରକ୍ଷଣ ମିଳୁଛି । ପେଟ୍ରୋଲ ପମ୍ପ ଆବଣ୍ଟନରେ ୨୭ ପ୍ରତିଶତ ଓବିସି ସଂରକ୍ଷଣ ଅଛି । ଏହି ବର୍ଗର ଲୋକଙ୍କୁ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ ଆମ ସରକାର ବଦ୍ଧ ପରିକର ।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସ୍ୱପ୍ନ ପୂରଣ କରିବା ପାଇଁ ହେଲେ କୃଷିକୁ କେବଳ ପାରମ୍ପରିକ ପଦ୍ଧତିରେ ସୀମିତ ନ ରଖି ଏହାକୁ ରୋଜଗାରର ମୁଖ୍ୟ ଆଧାର କରିବାକୁ ପଡ଼ିବ । ବର୍ତ୍ତମାନ ବିଶ୍ୱ ସ୍ତରରେ ଜୈବିକ ଓ ପ୍ରାକୃତିକ ଚାଷର ଚାହିଦା ବଢୁଥିବାରୁ ଓଡ଼ିଶାର ପନିପରିବା ଓ କୃଷିଜାତ ଦ୍ରବ୍ୟକୁ ବିଦେଶ ବଜାରକୁ ପଠାଇବା ପାଇଁ ଉନ୍ନତ ବ୍ୟବସ୍ଥା କରାଯିବ । ଓଡ଼ିଶାରେ ଚାଷ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ବୃହତ୍ତର ମଞ୍ଚରେ ପ୍ରତିଷ୍ଠିତ କରିବା ସହ ସାମ୍ବିଧାନିକ ଅଧିକାର ଓ ସାମାଜିକ ଦାୟିତ୍ୱ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *