
ଅନୁଗୋଳ,:ପବିତ୍ର ଅକ୍ଷୟ ତୃତୀୟା ଓ ଅକ୍ଷିମୁଠି ଅନୁକୁଳ କାର୍ଯ୍ୟ ଆଜି ପୂର୍ବାହ୍ନରେ ପଞ୍ଚମହଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା କୃଷି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ସମ୍ମାନୀତ ଅତିଥି ଭାବେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ୍ ଅଖ୍ତର, ଅନୁଗୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ, ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ ନାଥ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଉମା ଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ପବିତ୍ର ଅକ୍ଷୟ ତୃତୀୟା ଶୁଭ ଅବସରରେ ଓଡିଶାର ଚାଷୀ ମାଟି ମାର ପୂଜାର୍ଚ୍ଚନା କରି ନିଜ ବିଲରେ ଅକ୍ଷି ମୁଠି ଅନୁକୁଳ କରି ବର୍ଷକର ଚାଷକାର୍ଯ୍ୟ ଆରମ୍ଭ କରିଥାଏ । ଚାଷୀ କୂଳର ସମ୍ମାନ ତଥା ଚାଷ ଓ ଚାଷର ଉନ୍ନତି କାମନା କରି କୃଷି ବିଭାଗ ତରଫରୁ ପୂଜାର୍ଜନା ସହିତ ଅକ୍ଷି ମୁଠି ଅନୁକୁଳ କରାଯାଇଥିଲା । ମାନ୍ୟବର ଢେଙ୍କାନାଳ ସାଂସଦ, ମାନ୍ୟବର ଅନୁଗୋଳ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ଡଃ.ଦେବାଶିଷ ମିଶ୍ରଙ୍କ ଦ୍ବାରା ଅକ୍ଷି ମୁଠି ଅନୁକୁଳ କରାଯାଇଥିଲା । ଏହି ଅବସରରେ ମାନ୍ୟବର ସାଂସଦ ଚାଷୀ ଆମ ସମାଜର ମେରୁଦଣ୍ଡ, ସେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରା ବର୍ଷା ଶୀତ କାକରକୁ ଭୃକ୍ଷେପ ନକରି ସମସ୍ତଙ୍କ ପାଇଁ ଦାନା ଯୋଗାଇଥାଏ । ତେଣୁ କୃଷି ଓ କୃଷକର ଊନ୍ନତି ହେଉଛି ରାଜ୍ୟ ଊନ୍ନତିର ପ୍ରଥମ ସୋପାନ କହିଥିଲେ । କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଅଛି ବୋଲି ମଧ୍ୟ ସେ କହିଥିଲେ ।ଏହି ଶୁଭ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ଖରିଫ ଚାଷର ସହାୟତା ପାଇଁ ତଥା ଚାଷୀଙ୍କୁ ସମ୍ମାନ ପାଇଁ ସରକାରଙ୍କ ତରଫରୁ ସି .ଏମ୍ କିଷାନ ଯୋଜନାରେ ଏ ବର୍ଷର ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା । ଏହି ସିଧା ପ୍ରସାରଣରେ ଚାଷା, ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ । ପ୍ରକାଶଥାଉକି, ଜିଲ୍ଲାର ମୋଟ ୧ ଲକ୍ଷ ୭୬ ହଜାର ୧୭୪ ଚାଷୀଙ୍କୁ ୩୫ କୋଟି ୨୩ ଲକ୍ଷ ୪୮ ହଜାର ଟଙ୍କା ଏହି ଯୋଜନା ଅନ୍ତର୍ଗତ ଆଜି ପ୍ରଦାନ କରାଯାଇଛି ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମିଶ୍ର କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଚାଷୀମାନଙ୍କୁ ଏହି ଅବସରରେ ଜଣାଇଥିଲେ । ଚାଷୀମାନେ କିପରି ସୁବିଧାରେ ସାର, ବିହନ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ପାଇବେ ସେ ବିଷୟରେ ବୁଝାଇଥିଲେ । ଧାନ ବଦଳରେ ଅଣଧାନ ଚାଷ କରିବା ଓ ମିଲେଟ (ମାଣ୍ଡିଆ ଇତ୍ୟାଦି) ଚାଷ ଉପରେ ସେ ଗୁରୁତ୍ବ ଦେଇଥିଲେ ଓ ଶ୍ରୀଅନ୍ନ ଅଭିଯାନ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ । ଦେଶୀ ଓ ବାସନାଯୁକ୍ତ ଧାନର ଚାହିଦା ଓ ଚାଷ ଉପରେ ସେ ଚାଷୀଙ୍କୁ ଅବଗତ କରିଥିଲେ । ଧନିଚା ଓ ସବୁଜ ସାରର ବ୍ୟବହାର କରି ଜମିକୁ ଊର୍ବର କରିବା ଉପରେ ଗୁରୁତ୍ବ ଦେଇଥିଲେ । ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ଡଃ.ଦେବାଶିଷ ମିଶ୍ର ଏହା ପରିଚାଳନା କରିଥିଲେ । ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
