
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ନିଯୁକ୍ତି ସମାରୋହ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ବିଭାଗରେ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ବର୍ତ୍ତମାନ ସରକାର ଲୋକଙ୍କ କଲ୍ୟାଣ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ପ୍ରଣୟନ କରାଯାଇଥିବା ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ଯୋଜନାଗୁଡ଼ିକ କିପରି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ଓ ଏହାର ସଫଳ ରୂପାୟନ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।

ରାଜ୍ୟ ସରକାରଙ୍କ ତିନୋଟି ପ୍ରମୁଖ ବିଭାଗ ଯଥା- ଶକ୍ତି ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗ ଅଧିନସ୍ଥ ଓଡ଼ିଶା ଖଣି ନିଗମରେ ୨୮୧ଜଣ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆ ସରକାର, ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ବର୍ତ୍ତମାନ ସରକାର, ସମସ୍ତ ସରକାରୀ ବିଭାଗରେ ସ୍ୱଚ୍ଛତା ଆଣିବାକୁ ପ୍ରତିବଦ୍ଧ ହୋଇ କାମ କରୁଛନ୍ତି। ଶକ୍ତି ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ନୂଆ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ବିଦ୍ୟୁତ ବିଭାଗରେ ସଂସ୍କାର ଓ ବିଭାଗକୁ କ୍ରିୟାଶୀଳ କରିବା ପାଇଁ ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାରେ ଶକ୍ତି କ୍ଷେତ୍ରର ବିକାଶ ସହିତ ବିତରଣ ଓ ସଞ୍ଚାରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାଗୁଡ଼ିକ ହେଲା- ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ’ ଯୋଜନା, ‘ଓଡ଼ିଶା ବିତରଣ ବ୍ୟବସ୍ଥା ସୁଦୃଢ଼ୀକରଣ’ ଯୋଜନା ଏବଂ ‘ଓଡ଼ିଶା ବିଦ୍ୟୁତ ସଞ୍ଚାରଣ ବ୍ୟବସ୍ଥା ସୁଦୃଢ଼ୀକରଣ’ ଯୋଜନା । ଏହି ତିନୋଟି ଯୋଜନା ପାଇଁ ଚଳିତ ବର୍ଷ ସମୁଦାୟ ୨୩୬୬ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ନୂତନ ନିଯୁକ୍ତି ଦ୍ବାରା ବିଭାଗ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିଭଳି ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କ ହିତରେ ଅନେକ ପଦକ୍ଷପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଜ୍ଞାବଦ୍ଧ ଅଛନ୍ତି।

