ଅନୁଗୋଳ ବନଖଣ୍ଡ ଅନୁଗୋଳ ବନାଞ୍ଚଳ ଚନ୍ଦ୍ରବାହାଳ ବିଟ ଅନ୍ତର୍ଗତ ସରଧାପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ସେହି ଗ୍ରାମର ଗୌରାଙ୍ଗ ସାହୁଙ୍କ ଝିଅ ଗୁଲ ସାହୁ (୪୫)। ମିଳିଥିବା ଖବର ଅନୁସାରେ ସରଧାପୁର ଗ୍ରାମର ଗୁଲ ସାହୁ ଓ ଅନ୍ୟ ଜଣେ ଗ୍ରାମ ଠାରୁ ଦୁଇ ଶହ ମିଟର ଦୂରରେ ଥିବା ଜୋରକୁ ଗାଧୋଇବା ପାଇଁ ଯାଇଥିଲେ।

ଗାଧୋଇ ସାରି ଜୋର ପାଖରେ ଥିବା ତୁଳସୀ ଗଛରେ ପାଣି ଦେଉଥିବା ବେଳେ ହାତୀକୁ ଦେଖି ସାଥିରେ ଯାଇଥିବା ଯୁବତୀ ଜଣଙ୍କ ପଳାଇ ଆସିଥିଲେ। ଫଳରେ ଗୁଲ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଟେକି କଚାଡ଼ି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନା ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଲୋକଙ୍କ ଦାବି ଅନୁସାରେ ଉକ୍ତ ପଞ୍ଚାୟତରେ ୧୦ଟି ହାଇମାଷ୍ଟ ଲାଇଟ, ସୌର ବାଡ, ଜଣଙ୍କୁ ନିଯୁକ୍ତି ଏବଂ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ରାଶି ପ୍ରଦାନ କରିବା ନେଇ ବନ ବିଭାଗ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ବନ ବିଭାଗ ହସ୍ତାନ୍ତର କରିଛି।
