• Sun. Aug 23rd, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ଥାନା ପକ୍ଷରୁ ନିଶାମୁକ୍ତ ଶପଥ ଗ୍ରହଣ

Bymamatanews

Aug 21, 2026
Spread the love

ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ମଙ୍ଗଳବାର ଥାନା ପରିସରରେ ନିଶାମୁକ୍ତ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଥାନା ଭାରପ୍ରାପ୍ତ ଅଧିକାରୀ ଦୁଷ୍ମନ୍ତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶପଥ ସମାରୋହରେ ଥାନାର କର୍ମଚାରୀମାନେ ଏକତ୍ରିତ ହୋଇ ନିଶାମୁକ୍ତ ଭାରତ ଗଠନ ପାଇଁ ଦୃଢ଼ ସଙ୍କଳ୍ପ ନେଇଥିଲେ। ଏହି ଅବସରରେ ଯୁବଶକ୍ତି ଦେଶର ସର୍ବଶ୍ରେଷ୍ଠ ଶକ୍ତି ଓ ସମ୍ପଦ ବୋଲି କୁହାଯାଇଥିଲା। ସମାଜ ଓ ଦେଶର ବିକାଶରେ ଯୁବବର୍ଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକରୁ ଅଧିକ ଯୁବକ ଓ ଯୁବତୀ ନିଶାମୁକ୍ତ ଭାରତ ଅଭିଯାନରେ ସାମିଲ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଶପଥ ଗ୍ରହଣ ସମୟରେ ଉପସ୍ଥିତ ସମସ୍ତେ ନିଜେ ନିଶାମୁକ୍ତ ରହିବା ସହ ପରିବାର, ବନ୍ଧୁବାନ୍ଧବ ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି କରିବାକୁ ସଙ୍କଳ୍ପ ନେଇଥିଲେ। ପରିବର୍ତ୍ତନର ଆରମ୍ଭ ନିଜଠାରୁ ହେବା ଆବଶ୍ୟକ ବୋଲି ଶପଥରେ ଉଲ୍ଲେଖ କରାଯାଇଥିଲା।


ଏଥିସହ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ନିଜ ନିଜ ସାମର୍ଥ୍ୟ ଓ କ୍ଷମତା ଅନୁଯାୟୀ ସମସ୍ତ ପ୍ରୟାସ କରିବା, ନିଶାଦ୍ରବ୍ୟର କୁପରିଣାମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ସମୂହ ଭାବେ କାର୍ଯ୍ୟ କରିବାକୁ ଥାନା କର୍ମଚାରୀମାନେ ଶପଥ ନେଇଥିଲେ।
ନିଶାଦ୍ରବ୍ୟ ବ୍ୟବହାର ଯୋଗୁଁ ଯୁବପିଢ଼ିଙ୍କ ଭବିଷ୍ୟତ ପ୍ରଭାବିତ ହେବା ସହ ପରିବାର ଓ ସମାଜ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବାରୁ ନିଶା ବିରୋଧରେ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ନିଶାମୁକ୍ତ ସମାଜ ଗଠନ ପାଇଁ ପୁଲିସ ସହ ସାଧାରଣ ଲୋକ, ଯୁବକ-ଯୁବତୀ ଏବଂ ବିଭିନ୍ନ ସାମାଜିକ ସଂଗଠନ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!