ଅନୁଗୋଳ,୦୮.୦୯, ୨୦୨୬ : ଅନୁଗୋଳ ଜିଲ୍ଲା ତଥା ପୌରପାଳିକା ପାଇଁ ଏକ ସ୍ମରଣୀୟ ଓ ଗୌରବମୟ ମୁହୂର୍ତ୍ତ। ଦେଶର ୧୩୦ଟି ସହରକୁ ନେଇ ଆୟୋଜିତ ଜାତୀୟ ସ୍ତରର ‘ସ୍ୱଚ୍ଛ ବାୟୁ ସର୍ବେକ୍ଷଣ’ର କାଟେଗୋରୀ-୩ (Category-III) ରେ ଅନୁଗୋଳ ପୌରପାଳିକା ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟପ୍ରକାଶ ତ୍ରିପାଠୀ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ଏହା ଅନୁଗୋଳ ପୌରପାଳିକା ପାଇଁ କ୍ରମାଗତ ତୃତୀୟ ଜାତୀୟ ସଫଳତା। ପୂର୍ବରୁ ଅନୁଗୋଳ ଦୁଇଥର ତୃତୀୟ ପୁରସ୍କାର ପାଇଥିବା ବେଳେ ଏଥର ଜିଲ୍ଲା ପ୍ରଶାସନର ସୁଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ ଗୋଟିଏ ପାହାଚ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଦଖଲ କରିପାରିଛି। ଅନୁଗୋଳ ଭଳି ଏକ ଶିଳ୍ପବହୁଳ ଅଞ୍ଚଳରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଏବଂ ବାୟୁର ଗୁଣବତ୍ତା ବୃଦ୍ଧି କରିବା ଏକ ବଡ଼ ଆହ୍ୱାନ ଥିଲା। ମାତ୍ର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ କାର୍ଯ୍ୟଶୈଳୀ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଧୂଳି ନିୟନ୍ତ୍ରଣ, ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସବୁଜିମା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ସ୍ୱତନ୍ତ୍ର ପଦକ୍ଷେପ ଆଜି ସାରା ଦେଶରେ ଅନୁଗୋଳକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ପୌରପାଳିକାର ସମସ୍ତ ଅଧିକାରୀ, କର୍ମଚାରୀ, ସଫେଇ କର୍ମଚାରୀ (ସ୍ୱଚ୍ଛ ସାଥୀ) ଏବଂ ଅନୁଗୋଳବାସୀଙ୍କ ମିଳିତ ସହଯୋଗ ଯୋଗୁଁ ଏହି ପ୍ରଶଂସନୀୟ ମାଇଲଖୁଣ୍ଟ ହାସଲ ହୋଇଛି। ଅନୁଗୋଳକୁ ଆହୁରି ସ୍ୱଚ୍ଛ, ସବୁଜ ଓ ସୁସ୍ଥ ରଖିବା ପାଇଁ ଏହି ସଫଳତା ପ୍ରଶାସନ ଓ ନାଗରିକଙ୍କୁ ଆଗାମୀ ଦିନରେ ଅଧିକ ପ୍ରେରଣା ଯୋଗାଇବ।
