ଅନୁଗୁଳ – ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ , ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଜୁନ୍ ୨୫ ତାରିଖ ଦିନ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନର ଡାକରା ଦେଇଛି ।ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ମଧ୍ୟ ଆନ୍ଦୋଳନ ହେବ । ଏକ ସାମ୍ୱାଦିକ ସମ୍ମିଳନୀରେ, ବିଜୁ ଜନତା ଦଳର ଛାତ୍ର ସଭାପତି ରାଜୀବ ଲୋଚନ ଦାସ ସୂଚନା ଦେଇଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ଉପରେ ସେ ବର୍ଷିବା ସହିତ ଜୁନ୍ ୨୫ ତାରିଖରେ ବିଜେଡି ତରଫରୁ ଜିଲ୍ଲାରେ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ, ରାଜ୍ୟର ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି । ଯୁବତୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ହେଉଛି । ରାଜ୍ୟରେ ପ୍ରତିଦିନ ପ୍ରାୟ ୧୫ ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି । ଏହିଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ, ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ ମହାବିଦ୍ୟାଳୟ ଆଗରେ ଆନ୍ଦୋଳନ କରାଯିବ ।
