ଜନସାଧାରଣଙ୍କ ଆବଶ୍ୟକତାକୁ ଲକ୍ଷ୍ୟ ରଖି ସେମାନଙ୍କର ହିତ ଉଦ୍ଦେଶ୍ୟରେ ସରକାର ବିଭିନ୍ନ ସମୟରେ ପ୍ରଣୟନ କରୁଥିବା ବିଭିନ୍ନ ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କିପରି ସାଧିତ ହୋଇପାରିବ ତାହା ସୁନିଶ୍ଚିତ କରିବାର ଦାୟିତ୍ୱ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀମାନଙ୍କର।

ସାମାଜିକ ସୁରକ୍ଷା, ଜନକଲ୍ୟାଣ କିମ୍ବା ବିକାଶମୂଳକ ଯୋଜନା ସଂପର୍କରେ ପ୍ରଶାସନିକ ଅଧିକାରୀଭାବେ ଅଧିକ ଜାଣିବା, ବୁଝିବା ଦ୍ୱାରା ତାହାର ସୁଫଳ ସଂପର୍କରେ ସେମାନେ ସଠିକ୍ ଭାବେ ଜନସାଧାରଣଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପାଟି ଓଡ଼ିଶା ପ୍ରଶାସନିକ ସେବାର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଫିସର ଟ୍ରେନିମାନଙ୍କୁ ପରାମର୍ଶ ଦେଇଛନ୍ତି।
ଓଡ଼ିଶା ରାଜସ୍ୱ ସେବାରୁ ଓଡ଼ିଶା ପ୍ରଶାସନିକ ସେବାକୁ ପଦୋନ୍ନତି ପ୍ରାପ୍ତ ୭୧ ଅଫିସର ଟ୍ରେନି ଓ ପ୍ରତ୍ୟକ୍ଷଭାବେ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା – ୨୦୨୨ ବ୍ୟାଚ୍ର ୭୮ ଅଫିସର ଟ୍ରେନି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟପାଳ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ସେମାନଙ୍କୁ ନିଜ ମଧ୍ୟରେ ଶିଖିବାର ପ୍ରବୃତ୍ତିକୁ ଜାରି ରଖି ଜ୍ଞାନର ପରିଧିକୁ ବ୍ୟାପକ କରି ଦୃଢ଼ ଆତ୍ମ ବିଶ୍ୱାସର ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।

ବିଭିନ୍ନ ଅଞ୍ଚଳର ବିଶେଷତ୍ୱ, ଅଭିନବ ପ୍ରୟାସ, ଜୀବନ-ଜୀବିକା ସଂପର୍କରେ ସର୍ବଦା ଅପ୍ଡେଟ ରହିବା ପାଇଁ ଦୈନିକ ସମ୍ବାଦପତ୍ର, ନ୍ୟୁଜ୍ ଚ୍ୟାନେଲର ବ୍ୟବହାର ସହିତ ପଢ଼ିବାର ଆଗ୍ରହକୁ ଜାଗ୍ରତ ରଖିବା ପାଇଁ ରାଜ୍ୟପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ରାଜ୍ୟପାଳ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ସଫଳତା ସହିତ ଆହ୍ୱାନ ସଂପର୍କିତ ଏକ ବୁକ୍ଲେଟ୍ ପ୍ରକାଶନ କରି ତାହା ପ୍ରଶିକ୍ଷଣ ଗ୍ରହଣ କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ଉପଲବ୍ଧ କରିବାକୁ କହିଥିଲେ। ଏହି ଅବସରରେ ରାଜ୍ୟପାଳ ଅଧିକାରୀମାନଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି

 
                                