ଆଜିର ଯୁବବର୍ଗ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ ସମ୍ପଦ ଏବଂ ଆସନ୍ତାକାଲିର ଭବିଷ୍ୟତ। ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ପୂରଣ କରିବାରେ ଯୁବବର୍ଗଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଯୁବ ନେତୃତ୍ୱର ବିକାଶରେ ସହାୟକ ହେବ। ତୃଣମୂଳ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଯୁବଶକ୍ତିର ବିକାଶରେ ହିଁ ଦେଶର ବିକାଶ ହୋଇପାରିବ ବୋଲି ବାଚସ୍ପତି କହିଛନ୍ତି।
ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଆଗାମୀ ଦିନରେ ଜାତୀୟ ସ୍ତରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
