ଆଜି ପୂର୍ବାହ୍ନରେ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଲ ମହମ୍ମଦ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଗୋଳ ‘ ‘ସକ୍ଷମ’ ସ୍କୁଲ ରିପୋର୍ଟ କାର୍ଡ ୱେବ ସାଇଟ୍ ଉନ୍ମୋଚନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ସ୍ଥିତି ବିଶ୍ଳେଷଣ, ଶିକ୍ଷାର ଗୁଣାତ୍ମକ ମାନ ବିକାଶ ଓ ଜନସାଧାରଣଙ୍କ ମଧ୍ୟରେ ଶିକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ହେଊଛି ‘ସକ୍ଷମ’ ର ମୂଳଲକ୍ଷ୍ୟ । ଏହି ୱେବ ସାଇଟ୍ ଶିକ୍ଷା ବ୍ୟବସ୍ଥାର ସମସ୍ତ ଅଂଶାଦାରମାନଙ୍କୁ ଏକ ସାଧାରଣ ମଞ୍ଚରେ ସଂଯୋଗ କରି ଶିକ୍ଷଣ-ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବ ବୋଲି ଜିଲ୍ଲାପାଳ କହିଥିଲେ । ସେହିଭଳି ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ସାହୁ ଶିକ୍ଷକମାନଙ୍କ ବୃତ୍ତଗତ ଦକ୍ଷତା ବୃଦ୍ଧି ଏବଂ ଶିକ୍ଷଣରେ ନବସୃଜନକୁ ଏହି ୱେବ ସାଇଟ୍ ସହାୟତା କରିବ ବୋଲି ମତ ପ୍ରକାଶ କରିଥିଲେ ।

ସେଣ୍ଟର ସ୍କୋୟାର ଫାଊଣ୍ଡେସ ସଦସ୍ୟ ତଥା ସକ୍ଷମ ୱେବ ସାଇଟର ନିର୍ମାତା ସୁଶ୍ରୀ କୋମଲ କାସେରା ଓ ସୈରିନ କଫେ ଏହି ୱେବ ସାଇଟର ବିଭିନ୍ନ ବୈଶିଷ୍ଟକୁ ଊପସ୍ଥାପନ କରିଥିଲେ । ଏହି ୱେବ ସାଇଟ୍ ମାଧ୍ୟମରେ ପ୍ରଥମ ପାଇଁ ଜିଲ୍ଲାର ସମସ୍ତ ୧୩୬୧ଟି ସରକାରୀ ବିଦ୍ୟାଳୟର ଶିକ୍ଷଣ ଫଳାଫଳ ସର୍ବସାଧାରଣଙ୍କ ପାଇଁ ଊପଲବଧ ହୋଇଛି । ଅଭିଭାବକ, ଶିକ୍ଷକ, ପ୍ରଧାନ ଶିକ୍ଷକ ଏବଂ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ପାଇଁ ଏହି ତଥ୍ୟ ବିଶେଷ ଭାବରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀମତୀ ମଧୁସ୍ମିତା ନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ସ୍ମିମ) ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକଙ୍କ ସମେତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଊପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ବୁଜ କୁମାର ଗଡନାୟକ ପରିଚାଳନା କରିଥିବାବେଳେ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଶ୍ରୀ ମନୋରଞନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
