ବଅଁରପାଳ ଅଞ୍ଚଳରେ ସୁରକ୍ଷିତ ନାହାନ୍ତି ଜନସାଧାରଣ
(୧୧/୦୫/୨୦୨୬) : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସାଳଗାଡ଼ିଆ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। ଅଭିଯୋଗକାରି ଙ୍କ ଲିଖିତ ସୂଚନା ଅନୁଯାୟୀ, ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମର ପପୁନ ପୋଇ ସିଏମଏସ ଇମ୍ଫୋ ସିଷ୍ଟମ ଲିମିଟେଡ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି। ସେ ବିଭିନ୍ନ ସଂସ୍ଥାରୁ ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ଜମା କରିବା କାମ କରନ୍ତି। ଆଜି ସକାଳ ପ୍ରାୟ ୮ଟା ୪୫ ମିନିଟ ସମୟରେ ସେ ପ୍ରାୟ ୧୫ ଲକ୍ଷ ୮୪ ହଜାର ୩୮୫ ଟଙ୍କା ନେଇ ତାଳଚେର ରେଲୱେ ଷ୍ଟେସନ ଆଡ଼କୁ ଯାଉଥିଲେ।ବଅଁରପାଳରୁ ତାଳଚେର ରୋଡ଼ ରେଲୱେ ଷ୍ଟେସନ ଯାଉଥିବା ସମୟରେ ସାଳଗାଡ଼ିଆ ଛକ ନିକଟରେ ଦୁଇଜଣ ଦୁବୃର୍ତ୍ତ ଏକ ଦୁଇଚକିଆ ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ପରେ ସେମାନେ ପପୁନଙ୍କ ନିକଟରେ ଥିବା ନୀଳ ଓ ଧଳା ରଙ୍ଗର ଟଙ୍କା ଭର୍ତ୍ତି ବ୍ୟାଗକୁ ଜୋରଜବରଦସ୍ତି ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଏହି ସମୟରେ ପପୁନ ବାଇକ ସହ ତଳେ ପଡ଼ିଯାଇଥିବା ବେଳେ ତାଙ୍କ ଆଣ୍ଠୁ ଓ ବାମ ହାତର ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଲୁଟ ହୋଇଥିବା ଟଙ୍କା ଏସବିଆଇ, ଆଇଡିବିଆଇ ଓ ବିଓବି ବ୍ୟାଙ୍କରେ ଜମା ହେବାକୁ ଥିଲା।ପପୁନ ପୋଇଙ୍କ ଲିଖିତ ଅଭିଯୋଗ ଆଧାରରେ ବଅଁରପାଳ ଥାନାରେ ମାମଲା ନମ୍ବର –୨୯୧/୨୬ ରୁଜୁ ହୋଇଛି। ଥାନା ଅଧିକାରୀ ଙ୍କ ନେତୃତ୍ଵରେ ସବଇନ୍ସପେକ୍ଟର ଅମିତ ମିଶ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
