• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଅଁରପାଳ ବ୍ଲକରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ

Bymamatanews

May 12, 2026
Spread the love

ପ୍ରକଳ୍ପର ଶୁଭଉଦ୍‌ଘାଟନ କଲେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ

ସନ୍ତ୍ରୀ ଛକ-ମହୀଧରପୁର-ହାତୁରା ୨୦ କିମି ରାସ୍ତାରେ ସୌରଚାଳିତ ଷ୍ଟ୍ରିଟଲାଇଟ ବ୍ୟବସ୍ଥା

ବଅଁରପାଳଠାରେ ସର୍ବସାଧାରଣ ଆଶ୍ରୟସ୍ଥଳ ଶୁଭାରମ୍ଭ

ପିଏସ୍‌ଏସ୍‌ଜେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ପରୀକ୍ଷାଗାର

ଅନୁଗୋଳ (୧୨/୦୫/୨୦୨୬) ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ଦୀର୍ଘସ୍ଥାୟୀ ବିକାଶ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବଅଁରପାଳ ବ୍ଲକରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ବିଡିଓ, ଲୋଚନ ଦାସ, ତାମଡା (ତାଳଚେର ଅନଗୁଳ ମେରାମଣ୍ଡଳୀ ଡେଭଲପମେଣ୍ଟ ଅଥରିଟି) ସେକ୍ରେଟାରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକ, ସମାଜସେବୀ କିଟୁ ପଣ୍ଡା, ନୂଆହତା ସରପଞ୍ଚ ଙ୍କ ପ୍ରତିନିଧି ଅଶୋକ କୁମାର ଧୀର୍ ଯୋଗ ଦେଇଥିଲେ। ଜନସାଧାରଣଙ୍କ ସୁରକ୍ଷା, ଶିକ୍ଷା, ସୌରଶକ୍ତି ଏବଂ ଗୋଷ୍ଠୀ କଲ୍ୟାଣ ଉଦ୍ଦେଶ୍ୟରେ କରାଯାଇଥିବା ଏହି ପ୍ରକଳ୍ପ ଯୋଗୁ ୨୪ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେବେ।

ଅନୁଗୁଳ ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଙ୍କ ଅନୁରୋଧ କ୍ରମେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସନ୍ତ୍ରୀ ଛକ-ମହୀଧରପୁର-ହାତୁରା ପର୍ଯ୍ୟନ୍ତ ୨୦ କିଲୋମିଟର ରାସ୍ତାରେ ୪୬୬ଟି ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯାଇଛି। ହାତୀ ଚଳପ୍ରଚଳ ଏବଂ ମଣିଷ-ହାତୀ ସଂଘର୍ଷ ପ୍ରବଣ ଏହି ଅଞ୍ଚଳରେ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ପ୍ରାୟ ୧୮,୬୪୦ ଜନସାଧାରଣ ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ୪୩.୮ ଏମ୍‌ଡବ୍ଲୁଏଚ୍ ପାରମ୍ପରିକ ବିଦ୍ୟୁତ ଶକ୍ତି ସଞ୍ଚୟ ହେବା ସହ ପ୍ରାୟ ୩୫.୦୪ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ।

ଅନୁଗୁଳ, ତାଳଚେର ଏବଂ ମେରାମଣ୍ଡଳୀକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗମନାଗମନ ଏବଂ ବାଣିଜ୍ୟିକ କେନ୍ଦ୍ର ବଅଁରପାଳଠାରେ ସର୍ବସାଧାରଣ ଆଶ୍ରୟସ୍ଥଳ ଓ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଛି। ଦୈନିକ ଯାତ୍ରୀ, ମହିଳା, ବରିଷ୍ଠ ନାଗରିକ ଏବଂ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ସମସ୍ତ ଆଧୁନିକ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୫୦୦୦ ଜନସାଧାରଣ ଉପକୃତ ହେବେ।

ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ବଅଁରପାଳସ୍ଥିତ ପଞ୍ଚଗଡ଼ ସୋମନାଥ ସିଂହ ଜଗଦେବ ମହାବିଦ୍ୟାଳୟ(ପିଏସ୍‌ଏସ୍‌ଜେ)ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ବିଭାଗ ପାଇଁ ସ୍ୱତନ୍ତ୍ର ପରୀକ୍ଷାଗାର ନିର୍ମାଣ କରାଯାଇଛି। ଲାବୋରେଟୋରୀ ଫର୍ଣ୍ଣିଚର, ଉପକରଣ ସହ ଖେଳପଡ଼ିଆର ଉନ୍ନତିକରଣ ଓ ନିରନ୍ତର ବିଦ୍ୟୁତ ସେବା ପାଇଁ ୫ କିଲୋୱାଟ ବିଶିଷ୍ଟ ରୁଫ୍‌ଟପ୍ ସୋଲାର ସିଷ୍ଟମ୍ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା କଲେଜରେ ଅଧ୍ୟୟନ କରୁଥିବା ୧,୨୫୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।

ଏହି ପ୍ରୟାସ ମାଧ୍ୟମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସ୍ଥାନୀୟ ଲୋକଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବା ସହ ସୁରକ୍ଷିତ ପରିବେଶ, ସବୁଜ ଭିତ୍ତିଭୂମି ଏବଂ ସୁଦୃଢ଼ ବ୍ୟବସ୍ଥା ନିର୍ମାଣ କରିବା ଜାରି ରଖିଛି।

Leave a Reply

Your email address will not be published. Required fields are marked *

error: Content is protected !!