• Sun. Jul 19th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଲଗାଣ ବର୍ଷା ରେ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ,

Bymamatanews

Jul 19, 2026
Spread the love

ଅଳ୍ପକେ ବର୍ତ୍ତୀ ଗଲେ ପରିବାର : ସହାୟତା ଅପେକ୍ଷାରେ ଦିନ ମଜୁରିଆ କ୍ଷତିଗ୍ରସ୍ତ ପରିବାର

ଅନୁଗୋଳ ଜିଲ୍ଲା ବଅଁରପାଳ ଲଗାଣ ବର୍ଷା ଜଣେ ଦିନ ମଜୁରିଆ ପରିବାର ପାଇଁ ବିପଦ ଆଣିଦେଇଛି। ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତର ବାଲିସାହି ୯ ନମ୍ବର ୱାର୍ଡରେ ଗୁରୁବାର ବିଳମ୍ବିତ ରାତିରେ ଏକ ମାଟି ଘରର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ ଘର ଭିତରେ ପରିବାରର ସମସ୍ତ ସଦସ୍ୟ ଶୋଇଥିଲେ। ସୌଭାଗ୍ୟବଶତଃ କାନ୍ଥ ଭାଙ୍ଗିବାର ଶବ୍ଦ ଶୁଣି ସମସ୍ତେ ସଚେତନ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।

ସୂଚନା ଅନୁଯାୟୀ, ସୁକାନ୍ତି ଗୋଛାୟତ ଓ ତାଙ୍କ ସ୍ୱାମୀ ହାକି ଗୋଛାୟତ ନିଜର ୮ ବର୍ଷର ଝିଅ ଏବଂ ୫ ବର୍ଷର ପୁଅଙ୍କୁ ନେଇ ଏକ ପୁରୁଣା ମାଟି ଘରେ ବସବାସ କରୁଛନ୍ତି। ହାକି ଜଣେ ଦିନ ମଜୁରିଆ ଶ୍ରମିକ। ଦିନକୁ କାମ କଲେ ହିଁ ପରିବାରର ଦୁଇ ଓଳି ଚୁଲି ଜଳେ। ସ୍ଥାୟୀ ରୋଜଗାର କିମ୍ବା ଅନ୍ୟ କୌଣସି ଆର୍ଥିକ ସହାୟତା ନଥିବାରୁ ପରିବାରଟି ଦୀର୍ଘ ଦିନ ଧରି ଅଭାବ ଅନଟନ ମଧ୍ୟରେ ଜୀବନ ବିତାଉଛି।
ଘଟଣା ଦିନ ପରିବାରର ସମସ୍ତ ସଦସ୍ୟ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ଲଗାଣ ବର୍ଷାରେ ମାଟି କାନ୍ଥ ଭିଜି ଦୁର୍ବଳ ହୋଇ ଯାଇଥିଲା। ଫଳରେ ହଠାତ୍ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। କାନ୍ଥ ଭାଙ୍ଗିବାର ପ୍ରଚଣ୍ଡ ଶବ୍ଦ ଶୁଣି ସମସ୍ତେ ଭୟଭୀତ ହୋଇ ବାହାରକୁ ପଳାଇ ଆସିଥିଲେ। କେବଳ କିଛି ସେକେଣ୍ଡର ବ୍ୟବଧାନରେ ସମଗ୍ର ପରିବାରର ଜୀବନ ବଞ୍ଚିଯାଇଥିଲା। ଘଟଣା ପରେ ଘରଟି ସମ୍ପୂର୍ଣ୍ଣ ବିପଦସଙ୍କୁଳ ହୋଇପଡ଼ିଥିବାରୁ ପରିବାର ଏବେ ଖୋଲା ମେଲାରେ ଦିନ କାଟିବାକୁ ବାଧ୍ୟ ହୋଇଛନ୍ତି।
ପୀଡ଼ିତ ପରିବାରର ଅଭିଯୋଗ ଅନୁଯାୟୀ, ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଜରିପାଲ, ପଲିଥିନ, ଶୁଖିଲା ଖାଦ୍ୟ କିମ୍ବା ଅନ୍ୟାନ୍ୟ ଜରୁରୀ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇନାହିଁ। ଏପରିକି ସେମାନଙ୍କ ଅବସ୍ଥା ସମ୍ପର୍କରେ କୌଣସି ଅଧିକାରୀ ମଧ୍ୟ ଖବର ନେବାକୁ ଆସିନଥିବା ସେମାନେ କହିଛନ୍ତି। ବର୍ଷା ଜାରି ରହିଥିବାରୁ ଛୋଟ ଛୋଟ ପିଲାଙ୍କୁ ନେଇ ରହିବା ପରିବାର ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିର ଆକଳନ କରିବା, ପରିବାରକୁ ତତ୍କାଳ ରିଲିଫ୍ ସହାୟତା ପ୍ରଦାନ କରିବା ସହିତ ସରକାରଙ୍କ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଯୋଗାଇ ଦେବାକୁ ଦାବି କରିଛନ୍ତି। ବର୍ଷା ଋତୁରେ ଏପରି ବିପଦସଙ୍କୁଳ ମାଟି ଘରରେ ବସବାସ କରୁଥିବା ଗରିବ ପରିବାରମାନଙ୍କୁ ଚିହ୍ନଟ କରି ସମୟରେ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ସାଧାରଣରେ ଦାବି ଉଠିଛି।

Leave a Reply

Your email address will not be published. Required fields are marked *

error: Content is protected !!