ଅନୁଗୋଳ ଜିଲ୍ଲା ନାଲକୋ ନଗର ଥାନା ଅଧୀନରେ ଦୁଇଟି ପୃଥକ ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ପ୍ରଥମ ଘଟଣାରେ ନାଲକୋ ଥାନା କେସ୍ ନଂ–୨୨୯ ଅନୁଯାୟୀ, ନାଲକୋ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ନାବାଳିକା ଅସୁସ୍ଥ ହେବା ପରେ ଡାକ୍ତରୀ ପରୀକ୍ଷାରେ ଗର୍ଭଧାରଣ ଓ ପରବର୍ତ୍ତୀ ଗର୍ଭପାତ ସମ୍ପର୍କିତ ସୂଚନା ମିଳିଥିଲା। ଏହାପରେ ପରିବାର ପକ୍ଷରୁ ନାଲକୋ ଥାନାରେ ଲିଖିତ ଅଭିଯୋଗ ଦାଖଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସେହିପରି ଦ୍ୱିତୀୟ ଘଟଣାରେ ନାଲକୋ ଥାନା କେସ୍ ନଂ–୧୩୦ ଅନୁଯାୟୀ, କଣ୍ଟାବଣିଆ ଥାନା ଅଞ୍ଚଳର ସ୍ମୃତି ରଞ୍ଜନ ନାୟକ (୧୯) ନାଲକୋ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି କଣ୍ଟାବଣିଆ ଥାନା ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏ ସମ୍ପର୍କରେ ନାଲକୋ ଥାନା ଅଧିକାରିଣୀ ନମିତା ନାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ ଉଭୟ ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
