ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଟି. ପ୍ରଧାନଙ୍କ ଦ୍ୱାରା ଶିଶୁ କନ୍ୟା ଶୁଭ କଲ୍ୟାଣ ସମାରୋହ ଉଦ୍ଘାଟିତ
ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ମୃଦୁଳା ଟି. ପ୍ରଧାନ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟକୁ ଯାଇ କନ୍ୟା ସନ୍ତାନ ପ୍ରାପ୍ତି ମା’ମାନଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି । ଏହି ସମାରୋହରେ ଯୋଗଦେଇ ସେ କହିଛନ୍ତି ଯେ ଯେତେବେଳେ ଘରେ କନ୍ୟା ସନ୍ତାନଟିଏ ଜନ୍ମ ନିଏ, ସେତେବେଳେ ଘର ସ୍ୱର୍ଗ ପାଲଟିଯାଏ । କନ୍ୟାରତ୍ନ ସବୁଠାରୁ ଅମୂଲ୍ୟ ରତ୍ନ । ତାଙ୍କୁ ଆମେ ସବୁବେଳେ ସ୍ନେହ ଓ ଶ୍ରଦ୍ଧା ଦେବା ଦରକାର । ବୟସ ଅନୁସାରେ ସେମାନଙ୍କର ସଠିକ୍ ଲାଳନପାଳନ ବା ସ୍ୱାସ୍ଥ୍ୟର ଯତ୍ନନେବା ସହ ଭିଟାମିନଯୁକ୍ତ ଖାଦ୍ୟ ଦେବା ଦରକାର । ଏହି ଜନସଚେନତା ଲକ୍ଷ୍ୟରେ ତଥା ସମ୍ବଲପୁର ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ ବିକାଶ ଫାଉଣ୍ଡେସନ ପକ୍ଷରୁ ଏଭଳି ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିକାଶ ଫାଉଣ୍ଡେସନ ସର୍ବଦା ଝିଅମାନଙ୍କ ବିକାଶରେ କାର୍ଯ୍ୟ ସମ୍ପାଦନ କରିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ପାଲଲହଡା ବିଧାୟକ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
