ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଠାରେ ହେବାକୁ ଥିବା ପ୍ରସ୍ତାବିତ ଓପନ କାଷ୍ଟ୍ କୋଇଲା ଖଣି କୁ ଛେଣ୍ଡିପଦା ଅଞ୍ଚଳ ବାସୀ ଙ୍କ ତରଫରୁ ପ୍ରବଳ ବିରୋଧ କରାଯାଇଛି । କିଛି ନିର୍ଦ୍ଧିଷ୍ଟ ସ୍ବାର୍ଥ ପାଇଁ ଜଳ , ଜଙ୍ଗଲ ସହିତ ଏକ ସୁନ୍ଦର ପରିବେଶ କୁ ନଷ୍ଟ କରି ସେଥିରେ କୋଇଲା ଖଣି ଖୋଳିବାକୁ ଅଞ୍ଚଳବାସୀ ବିରୋଧ କରିବା ସହ ଆଞ୍ଚଳିକ ସୁରକ୍ଷା ମଞ୍ଚ , ଛେଣ୍ଡିପଦା ତରଫରୁ ଆଜି ଜିଲ୍ଲାପାଳ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଏହାକୁ ବନ୍ଦ କରିବା ସହିତ ପରିବେଶକୁ ରକ୍ଷା କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ମଞ୍ଚ ତରଫରୁ କୁହାଯାଇଛି କି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଛେଣ୍ଡିପଦା , ମାଛକୁଟା, ମାଛକୁଟା ଜଙ୍ଗଲ, ପୋଡ଼ାପଡ଼ା, ପୋଡ଼ାପଡ଼ା ଜଙ୍ଗଲ ଓ ତେଣ୍ଟୁଲୋଇ , କୋଡ଼ାସାହି ଗ୍ରାମରେ ହେବାକୁ ଥିବା ୧୧୯୬ ହେକ୍ଟର୍ ଜଙ୍ଗଲ ଜମି ରେ ବୈତରଣୀ ୱେଷ୍ଟ୍ ଓପନ କାଷ୍ଟ୍ କୋଇଲା ଖଣି ଖୋଲି ସେଥିରୁ ବାର୍ଷିକ ୧୫ ନିୟୁତ ଟନ୍ କୋଇଲା ଉତ୍ପାଦନ ପାଇଁ ଗୁଜୁରାଟ୍ ମନେରାଲ୍ ଡ଼େଭଲପମେଣ୍ଟ୍ କର୍ପୋରେଶନ୍ ଲିମିଟେଡ୍ ନାମକ କମ୍ପାନୀ କୁ ପରିବେଶୀୟ ମଞ୍ଜୁରୀ ମିଳିଛି ଯାହାକୁ ତୁରନ୍ତ ଉଚ୍ଛେଦ ପାଇଁ ସ୍ମାରକୀ ପତ୍ର ପ୍ରଦାନ କରାଯାଇଛି । ଆଞ୍ଚଳିକ ସୁରକ୍ଷା ମଞ୍ଚ ,ଛେଣ୍ଡିପଦା ସହିତ ଯୋଡି ହୋଇ ପାଞ୍ଚ ଟି ପଞ୍ଚାୟତ ର ହଜାର ହଜାର ମହିଳା ଓ ପୁରୁଷ ଏକାଠି ହୋଇ କୁମଣ୍ଡ ଭଣ୍ଡୁଭର ଠାରୁ ଏକ ପଦ ଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିଲା , ସେଠାରେ ଖଣି ଦ୍ବାରା କଣ ସବୁ ଅସୁବିଧା ହେବା ଓ ପରିବେଶକୁ କିଭଳି ଏହା ଦୁର୍ଦ୍ଦିନ କୁ ନେଇ ଯିବ ସେ ବିଷୟରେ ଆଲୋଚନା କରାଯିବା ସହିତ କମ୍ପାନୀ , ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଛେଣ୍ଡିପଦାରେ ହୋଇଥିବା ପ୍ରସ୍ତାବିତ ପ୍ରକଳ୍ପର ପରିବେଶୀୟ ମଞ୍ଜୁରୀ ପରିପ୍ରେକ୍ଷୀରେ ଜନ ଶୁଣାଣି ଏକ ତରଫା ହୋଇଥିଲା | ଏଥିରେ ପ୍ରଭାବିତ ହେଉଥିବା ଓ ପ୍ରଭାବିତ ହେବାକୁ ଯାଉଥିବା ପ୍ରଜା ମାନଙ୍କୁ ମଞ୍ଚ ଭିତରକୁ ପ୍ରବେଶ କରିବାକୁ ଏବଂ ବକ୍ତବ୍ୟ ଦେବାକୁ ସୁଯୋଗ ଦେଇନଥିଲେ | ଉକ୍ତ ସଭାରେ ସ୍ଥାନୀୟ ବିଧାୟକ , ଜିଲ୍ଲାପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ସମେତ ଅଳ୍ପ କିଛି ଲୋକଙ୍କ ବକ୍ତବ୍ୟକୁ ନେଇ ଶୀଘ୍ର ଜନ ଶୁଣାଣିକୁ ବନ୍ଦ୍ କରିଦିଆଗଲା ବୋଲି ଅଭିଯୋଗ କରିବା ସହିତ ଗଣତନ୍ତ୍ର ଦେଶ ଭାରତରେ ଏହା ଗଣତନ୍ତ୍ର ପ୍ରତି ଘୋର ଅପମାନ୍ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।

ସେହିପରି ଏହି ଖଣି ଦ୍ବାରା ଛେଣ୍ଡିପଦା ର ଅନେକ ଅଞ୍ଚଳ କ୍ଷତି ସହିବ ଏଥି ସହିତ ଜିଲ୍ଲାରେ ଅନେକ କଳକାରଖାନା ଏବଂ ଖଣି ଖଦାନ ହୋଇ ଯାଇଥିବାରୁ ଏହା ଦେଶର ଏକ ଅତି ଉତ୍ତପ୍ତ ଅଞ୍ଚଳ ଭାବେ ଘୋଷିତ ହୋଇଅଛି | ଏଠାରେ ବନ୍ୟଜନ୍ତୁ ମାନଙ୍କର ଯଥା ହାତୀ, ଭାଲୁ, ମାଙ୍କଡ଼ ମାନଙ୍କର ଯାତାୟତ ପଥ ଅଟେ ଏବଂ ଏହି ଛେଣ୍ଡିପଦା ଜଙ୍ଗଲ ମୌଜାରେ ଦୁଇଟି ଜଳ ପ୍ରକଳ୍ପ ଅଛି, ଯଥା କୁମ୍ଭିରାନାଳ ପ୍ରୋଜେକ୍ଟ ଓ ଗୁରୁଖା ନାଳ ପ୍ରୋଜେକ୍ଟ ଦ୍ବାରା ଜଳ ସେଚନ ହେଉଥିବା ଅନେକ ଚାଷ ଜମି ବଞ୍ଚିତ ହେବ ।ତେଣୁ ଏହାକୁ ଆଗାମୀ ଦିନରେ ଘୋର ବିରୋଧ କରାଯିବ ବୋଲି ସଭାପତି କହିଛନ୍ତି ।
