ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ।

ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ। ଏହି ଯୋଜନାରେ ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ। ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ। ରାଜ୍ୟର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟ କିମ୍ବା ସ୍ୱାଧୀନତା ପୂର୍ବ ସମୟର ପୁରାତନ ବିଦ୍ୟାଳୟ ଗୁଡିକର ବିକାଶ କରାଯାଇ ଏହାର ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ। ଏହି ଯୋଜନାରେ ସମୁଦାୟ ୪୫ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ।
