
ଅଳ୍ପକେ ବର୍ତ୍ତିଲେ ୪୬ ତୀର୍ଥଯାତ୍ରୀ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଖନ୍ଦାନାଳୀ ନିକଟରେ ସୋମବାର ଭୋର ସମୟରେ ଚକାଡୋଳା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ୪୬ ଜଣ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କଟକରୁ ଏହି ବସଟି ଗତ କାଲି ହରିଶଙ୍କର ତୀର୍ଥଯାତ୍ରା କରି ଅନୁଗୋଳରୁ ମହୀଧରପୁର ଦେଇ କଟକ ଫେରୁଥିବାବେଳେ ଖନ୍ଦାନାଳୀ ବାଙ୍କ ନିକଟରେ ବସଟି ମୋଡ ନେବା ବେଳେ ଭାରସାମ୍ୟ ହରାଇ ୬ଟି ଗଛରେ ପିଟିହୋଇ ହୋଇ ଏକ ଛୋଟ କଲଭର୍ଟ ଉପରେ ଚଢ଼ି ଯାଇଥିଲା । ଫଳରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ବସର ସାମ୍ନା ପାଖ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛ । ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅନ୍ୟ ଏକ ଗାଡ଼ିରେ ଘରକୁ ଫେରି ଥିବା ପୁଲିସ ସୂଚନା ଦେଇଛି । ମହୀଧରପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଗାଡ଼ିକୁକୁ ବାହାର କରି ଘଟଣାର ତଦନ୍ତ କରୁଛି । ଏହି ବାଙ୍କ ପାଖରେ ହମ୍ପସ ନଥିବାରୁ ୫ ବର୍ଷ ଭିତରେ ଅନେକ ଦୁର୍ଘଟଣା ଘଟି ସାରିଲାଣି । ତେଣୁ ତୁରନ୍ତ ଏହିପରି ବାଙ୍କ ନିକଟରେ ହମ୍ପସ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
