ମାନ ଖରାପ କହି ଧାନ ନେଲେନି ମିଲର, ଫେରିଗଲେ ୪୮ ଚାଷୀ
ଅନୁଗୋଳ ବ୍ଲକ ବେନ୍ତପୁର ଗାଁରେ ଥିବା ସମବାୟ ସମିତିରେ ପ୍ରଥମ ଧାନ କିଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ପ୍ରାୟ ୪୮ ଜଣ ଚାଷୀ ନିଜର ଟୋକନ ମୁତାବକ ଧାନ ନେଇ ମଣ୍ଡିକୁ ଆସିଥିଲେ। ଅନୁଗୁଳ ତହସିଲଦାର ଆଲୋକ କୁମାର ଦେହୁରୀ, ଏଆରଏସ ନିରଞ୍ଜନ ସେଠ, ରାଜସ୍ୱ ନିରୀକ୍ଷକ ମହେନ୍ଦ୍ର ବେହେରା ଓ ସମବାୟ ସମିତିର ସଭାପତି ଓ ସମ୍ପାଦକ ଉପସ୍ଥିତିରେ ମଣ୍ଡି ଉଦଘାଟନ ହୋଇ ଧାନକିଣା ଆରମ୍ଭ ହୋଇଥିଲା। ମିଲର ପକ୍ଷରୁ ଧାନ କିଣିବାକୁ ଆସିଥିବା କର୍ମଚାରୀ ଗୁଣବତ୍ତା (ଏଫଏକ୍ୟୁ) ଯାଞ୍ଚ କରିବା ପାଇଁ ଅଡ଼ି ବସିଥିଲେ। କିଛି ଚାଷୀଙ୍କ ଧାନର ଗୁଣବତ୍ତା ପରୀକ୍ଷା କରାଯାଇଥିଲା। ୫% ପ୍ରତିଶତ ମଧ୍ୟରେ (ଡ୍ୟାମେଜ, ଡିସ କଲର) ଧାନ ରହିଲେ ତାହା ଗ୍ରହଣ ଯୋଗ୍ୟ ହୋଇଥିବା ବେଳେ ଚାଷୀଙ୍କ ଧାନ ୮.୮୪% ପ୍ରତିଶତ ଦେଖାଇଥିଲା। ଏହି କାରଣରୁ ମିଲର ଏହାକୁ ନେବାକୁ ପ୍ରଥମେ ମନା କରିଥିଲେ। ଚାଷୀଙ୍କ ଧାନ ଭଲ ଥିବା ବେଳେ କିପରି ଏମିତି ଦେଖାଇଲା ଯନ୍ତ୍ରକୁ ନେଇ ଚାଷୀ ପ୍ରଶ୍ନ ଉଠାଇଥିଲେ। ଦିନର ଅଧା ସମୟ ଏଫଏକ୍ୟୁ ଯାଞ୍ଚ ଓ ବାଦ ବିବାଦ ମଧ୍ୟରେ ପଳାଇଥିଲା। ପୂର୍ବରୁ ଧାନର ମାନକୁ ନେଇ ୨ପ୍ରତିଶତ କଟା ଯାଉଥିବା ବେଳେ ଚଳିତ ବର୍ଷ ସେତିକି କାଟି ଧାନ ନେବାକୁ ବାଟ ଫିଟିଥିଲା। ହେଲେ ଏଥିରେ ମଧ୍ୟ ଧାନ କ୍ରୟ କରିବାକୁ ଆସିଥିବା ମିଲର ରାଜି ହୋଇ ନଥିଲେ। ୪ ପ୍ରତିଶତ ଧାନ କାଟିଲେ ନଚେତ ଏଫ ଏ କ୍ୟୁ ଅନୁଯାୟୀ ଧାନ କିଣିବାକୁ ମିଲର ଦାବି କରିଥିଲେ। ଏପରି ବାଦ ବିବାଦ ମଧ୍ୟରେ ଶୁକ୍ରବାର ବେନ୍ତପୁର ମଣ୍ଡିରେ ଧାନ କିଣା ଆରମ୍ଭ ହୋଇ ପାରି ନଥିବା ବେଳେ ପ୍ରାୟ ୪୮ ଚାଷୀ ନିଜର ଧାନକୁ ନେଇ ଫେରିଛନ୍ତି। ତେଣୁ ଶନିବାର ଦିନ ସେବା ସମବାୟ ସମିତିରେ ଏକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।
