ଅନୁଗୋଳ ସଦର୍ କଦମ ପଡିଆ ରେ ସର୍ବଭାରତୀୟ ଅନୁଗୋଳ କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ସମାରୋହକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରିବା ସହ କ୍ରିକେଟ ର ଲୋକପ୍ରିୟତା ଏବେ ସର୍ବ ବ୍ୟାପି ବୋଲି ପ୍ରକାଶ କରିଥିଲେ।

ଅନୁଗୋଳ କ୍ରିକେଟ ଆସୋସିଏସନ ର ସଭାପତି ତଥା ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସମ୍ମାନିତ ଅତିଥି ରୂପେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲ ଲହଡା ବିଧାୟକ ଅଶୋକ ମହାନ୍ତି,

ପୋଲିସ ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଅବଦଲ ଏମ ଅଖତାର, ନଗରପାଳ ଅକ୍ଷୟ କୁମାର ସାମନ୍ତ, ପୌର ଉପାଧ୍ୟକ୍ଷା ଅନୁପମା ସାହୁ,ଉପ ଜିଲ୍ଲାପାଳ ମାୟାଧର ବେହେରା,କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,

ଜେଏସପିଏଲ ର ବରିଷ୍ଠ ମହାପ୍ରବନ୍ଧକ ଜୟନ୍ତ ମହାନ୍ତି ଏବଂ ପୌର ପାରିଷଦ ମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ କ୍ରିକେଟ ଆସୋସିଏସନ ସମ୍ପାଦକ ସାଗର ମିଶ୍ର ଏବଂ ଅନ୍ୟକର୍ମକର୍ତା ମାନେ ଉପସ୍ଥିତ ରହି
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ଅନୁଗୋଳ କ୍ରିକେଟ କ୍ଲବ ଓ ୟୁନିଅନ ସ୍ପୋର୍ଟିଂ କଟକ ମଧ୍ୟରେ ହୋଇଥିଲା। ଅନୁଗୋଳ ପ୍ରଥମେ ବ୍ୟାଟିଂ କରି ୧୭ ଓଭର ରେ ୬ ଉଇକେଟ ହରାଇ ୧୧୫ ରନ କରିଥିଲା। ଜବାବ ରେ କଟକ ୧୫. ୧ ଓଭର ରେ ୮ ଉଇକେଟ ହରାଇ ବିଜୟ ଲାଭ କରି ନେଇଥିଲା। କଟକ ର ରାମେଶ୍ୱର ବାରିକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦ୍ଵିତୀୟ ମ୍ୟାଚ ସମ୍ବଲପୁର ଓ ମୁମ୍ବାଇ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ୧୮ ଓଭର ରେ ୭ ଉଇକେଟ ହରାଇ ୧୭୨ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୨.୧ ଓଭର ରେ ମାତ୍ର ୭୩ ରନ୍ କରି ଅଲ ଆଉଟ ହୋଇଯାଇଥିଲା। ଆୟୁଷ ଖ୍ରୀଷ୍ଟେଫର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରଥମ ମ୍ୟାଚରେ ମହେଶ ମୁନସି ଓ ଆଶୁତୋଷ ପାଣି ଖେଳ ପରିଚାଳିତ କରିଥିଲେ ଓ ଦିତୀୟ ମ୍ୟାଚ୍ ଟି ଜୟକୃଷ୍ଣ ରାଉତ ଓ ତାପସ ମହାନ୍ତି ପରିଚାଳିତ କରିଥିଲେ। ସ୍କୋର ବୋର୍ଡକୁ ସୁରୟ ରାଉତ ଦାୟିତ୍ଵ ତୁଲାଇଥିଲେ। ବିଜନ ମିଶ୍ର ଓ ମାନସ ଦାସ୍ କମେଟ୍ରି ପରିଚାଳିତ କରିଥିଲେ।
